ଆଜିଠୁ ଆରମ୍ଭ ହେବ ସୁଭଦ୍ରା ଯୋଜନାର ପଞ୍ଜିକରଣ ପ୍ରକ୍ରିୟା

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଆରମ୍ଭ ହେବ ସୁଭଦ୍ରା ଯୋଜନାର ପଞ୍ଜିକରଣ ପ୍ରକ୍ରିୟା । ଉଭୟ ଅନଲାଇନ ଓ ଅଫଲାଇନ ମୋଡରେ ଆବଦେନ ଗ୍ରହଣ କରାଯିବ । ସ୍ବଚ୍ଛଳ ବର୍ଗକୁ ଛାଡିଦେଲେ ୨୧ରୁ ୬୦ ବର୍ଷ ବୟଷ ମଧ୍ୟରେ ସବୁ ଯୋଗ୍ୟ ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ସାମିଲ ହେବାକୁ ଆବେଦନପତ୍ର ଗ୍ରହଣର ସମୟସୀମା ଧାର୍ଯ୍ୟ କରାଯାଇନାହିଁ । ଆଧାର କାର୍ଡ ନଥିଲେ ଯୋଗ୍ୟ ହିତାଧିକାରୀ ବି ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ । ତେଣୁ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆଗ୍ରହୀ ମହିଳା ଆଧାର କାର୍ଡ କରିବା ଉଚିତ ବୋଲି ସେ କହିଛନ୍ତି ।

ରାଜ୍ୟର ସବୁ ଅଙ୍ଗନୱାଡି କେନ୍ଦ୍ରରେ ସୁଭଦ୍ରା ପାଇଁ ଫର୍ମ ଉପଲବ୍ଧ ରହିବ । ମହିଳାମାନଙ୍କୁ ଫର୍ମ ପୂରଣ ଓ ଦାଖଲରେ ଅଙ୍ଗନୱାଡି କର୍ମୀ, ସିଆରପି, ଏମବିସି, ବ୍ୟାଙ୍କ ମିତ୍ର, କୃଷିମିତ୍ରମାନେ ସହଯୋଗ କରିବେ । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି । ବର୍ଷକୁ ଦୁଇ ଥର ମିଳିବ ସୁଭଦ୍ରା କିସ୍ତି। ମାର୍ଚ୍ଚ ଅନ୍ତର୍ଜାତିକ ମହିଳା ଦିବସ ଓ ରାଖୀ ପୂର୍ଣ୍ଣିମାରେ ମିଳିବ ୫ହଜାର ଟଙ୍କା ଲେଖାଏଁ କିସ୍ତି । ଚଳିତବର୍ଷ ରାଖୀ ପୂର୍ଣ୍ଣିମା ସରିଯାଇଥିବାରୁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ଦିଆଯିବ । ରାଜ୍ଯର ପ୍ରାୟ ୧ କୋଟି ୩୦ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବେ ବୋଲି କହିଛନ୍ତି ମହିଳା ଓ ଶିଶୁ କଲ୍ଯାଣ ବିଭାଗ ଦାୟିତ୍ବରେ ଥିବା ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା ।