ରାଜ୍ଯସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ମେୟରଙ୍କୁ ଅସମ୍ମାନ

ଭୁବନେଶ୍ବର: ରାଜଧାନୀର ପ୍ରଥମ ନାଗରିକଙ୍କୁ ଅପମାନ । ନିମନ୍ତ୍ରଣ କଲେ, ହେଲେ ମଞ୍ଚରେ ବସିବାକୁ ଦେଲେନି ଚେୟାର । ମେୟରଙ୍କୁ ନୁହେଁ ଭୁବନେଶ୍ବର ବାସିନ୍ଦାଙ୍କୁ ଅସମ୍ମାନ । କାର୍ଯ୍ଯକ୍ରମକୁ ବର୍ଜନ କଲେ ବିଜେଡି କର୍ପୋରେଟର । ଲୋକସେବା ଭବନର କନଭେନସନ ସେଣ୍ଟରରେ ପାଳିତ ହେଉଥିଲା ରାଜ୍ଯସ୍ତରୀୟ ସ୍ବାୟତ୍ତ ଶାସନ ଦିବସ । ବିଏମସିର ମେୟର ସୁଲୋଚନା ଦାସଙ୍କୁ ନିମନ୍ତ୍ରଣ କରିଥିଲେ ରାଜ୍ଯ ସରକାର । ଡାକିଲେ, ହେଲେ ମଞ୍ଚରେ ମେୟରଙ୍କ ପାଇଁ ବସିବାକୁ ଚେୟାର ନଥିଲା । ମେୟର ପଦବୀ କୌଣସି ଦଳର ନୁହେଁ । ମେୟରଙ୍କୁ ଲୋକେ ଭୋଟ ଦେଇ ବାଛିଛନ୍ତି । ଚେୟାର କୌଣସି ଦଳର ନୁହେଁ, ଚେୟାର ହେଉଛି ଲୋକଙ୍କର । ବିଜେପି ସରକାର କେବେ ବି ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦିଅନ୍ତି ନାହିଁ । ମେୟର ଓ କର୍ପୋରେଟରଙ୍କୁ ଅସମ୍ମାନ ଅର୍ଥ ପୁରା ଭୁବନେଶ୍ବର ବାସିନ୍ଦାକୁ ଅପମାନ ବୋଲି ହୋଇଛି ଅଭିଯୋଗ ।

ରାଜ୍ଯସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ମେୟରଙ୍କୁ ଅସମ୍ମାନ ପରେ ସଂପୃକ୍ତ କାର୍ଯ୍ଯକ୍ରମକୁ ବର୍ଜନ କରିଛନ୍ତି ଏକାଧିକ ବିଜେଡି କର୍ପୋରେଟର । ରାଜ୍ଯ ସରକାର ମହିଳାଙ୍କ ସଶକ୍ତିକରଣ ଓ ନାରୀଙ୍କୁ ସମ୍ମାନର ନାରା ଦେଉଥିବା ବେଳେ ଏଠି ଜଣେ ମହିଳା ମେୟରଙ୍କୁ କିଭଳି ଅସମ୍ମାନ କଲେ ବୋଲି କର୍ପୋରେଟର ପ୍ରଶ୍ନ କରିଛନ୍ତି। କିନ୍ତୁ ସଂପୃକ୍ତ କାର୍ଯ୍ଯକ୍ରମରେ ଆଗ ଧାଡିରେ ବିଜେପି କର୍ପୋରେଟର ମାନଙ୍କୁ ବସିବା ପାଇଁ ଚେୟାର ଦିଆଯାଇଛି । ଭୁବନେଶ୍ବର ଲୋକଙ୍କ ପାଇଁ ଦିନରାତି କାର୍ଯ୍ଯ କରୁଛନ୍ତି ମେୟର । ହେଲେ ତାଙ୍କୁ ଏଭଳି ରାଜ୍ଯ ସରକାର ଅପମାନ କରିବା ନେଇ ସଭିଙ୍କ ମନରେ ଆଘାତ ଦେଇଛି । ସେପଟେ ଏ ପ୍ରସଙ୍ଗରେ ବିଭାଗୀୟ ଅଧିକାରୀଙ୍କ ସହିତ କଥା ହେବି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

ମେୟରଙ୍କୁ ଅସମ୍ମାନ ଦେବା ଅର୍ଥ ପୁରା ୬୭ ଜଣ କର୍ପୋରେଟର ଓ ଭୁବନେଶ୍ବର ବାସିନ୍ଦାଙ୍କୁ ରାଜ୍ଯ ସରକାର ଅପମାନ ଓ ଅସମ୍ମାନିତ କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।