ପୂର୍ବରୁ ଗୌତମ ଗମ୍ଭୀର ତୁଲାଇଥିଲେ, ଏବେ ହାଜିର ଭାର ସମ୍ଭାଳିବେ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ରଣନୀତି ସବୁବେଳେ ଚର୍ଚ୍ଚାରେ ରହିଥାଏ । ତେବେ ଆଇପିଏଲ ୨୦୨୨ ଏବଂ ୨୦୨୩ ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟର ମେଣ୍ଟରଭାବେ କାମ କରି ଦଳକୁ ଅନେକ ସଫଳତା ଦେଇଥିଲେ । ଗମ୍ଭୀର ଲକ୍ଷ୍ନୌର ମେଣ୍ଟର ଥିବାବେଳେ ଦଳ ଗୋଟିଏ ସିଜିନରେ ଫାଇନାଲ ଏବଂ ଅନ୍ୟ ଏକ ସିଜିନରେ କ୍ବାଲିଫାୟର ଖେଳିଥିଲା । ତେବେ ଗମ୍ଭୀର ଲକ୍ଷ୍ନୌ ଛାଡ଼ି ୨୦୨୪ ସିଜିନରେ କୋଲକାତାର ଦାୟିତବ ନେଇଥିଲେ ଆଉ ଦଳ ଚାମ୍ପିୟନ ହୋଇଛି । ତେବେ ୨୦୨୫ ଆଇପିଏଲ ସିଜିନ ପାଇଁ ଏବେଠାରୁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଯେଉଁଥିରେ ଲକ୍ଷ୍ନୌ ସୁପର ଜାଏଣ୍ଟ ପୂର୍ବତନ ଭାରତୀୟ ଦୃତ ବୋଲର ଜାହିର ଖାନଙ୍କୁ ମେଣ୍ଟର ଭାବେ ନିଯୁକ୍ତ କରିଛି ।

ଏହା ପୂର୍ବରୁ ଜାହିର ଖାନ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ମେଣ୍ଟର ଭାବେ କାର୍ଯ୍ୟରତ ଥିଲେ । ଏବେ ଲକ୍ଷ୍ନୌ ତାଙ୍କୁ ଗୁରୁ ଦାୟିତ୍ବ ଦେଇଥିବାବେଳେ ସେ ୨ ବର୍ଷ ପାଇଁ ଚକ୍ତି କରିଛନ୍ତି । ତେବେ ଆନ୍ତର୍ଜାତୀୟ କ୍ରିକେଟରେ ୬୦୦ରୁ ଅଧିକ ଓ୍ବିକେଟ ଅକ୍ତିଆର କରିଥିବା ଜାହିରଙ୍କ ଘାତକ ବୋଲିଂ ପାଇଁ ସେ ବେଶ ଜଣାଶୁଣା ।