ସମ୍ବଲପୁର ମହାନଦୀର ଦ୍ବିତୀୟ ସେତୁ ପାଲଟିଛି ମୃତ୍ଯୁର ହଟସ୍ପଟ୍

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ମହାନଦୀର ଦ୍ବିତୀୟ ସେତୁ ପାଲଟିଛି ମୃତ୍ଯୁର ହଟସ୍ପଟ୍ । ଲଗାତର କିଛିଦିନ ହେଲା ଭରା ନଈକୁ ଡେଇଁ ଆତ୍ମହତ୍ଯା କରୁଛନ୍ତି ଲୋକେ। ସେପଟେ ଆଜି ପୁଣି ଜଣେ ଛାତ୍ରୀ ବ୍ରିଜ ଉପରେ ସାଇକେଲ ରଖି ବ୍ରିଜ ଉପରୁ ନଦୀକୁ ଡେଇଁ ପଡ଼ିଛନ୍ତି । ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ସୁଦ୍ଧା ଏଯାଏଁ ତାଙ୍କର ମିଳିନି ପତ୍ତା । ବାରମ୍ବାର ଏପରି ଅଭିଯୋଗ ପରେ ବ୍ଯାରିକେଡ ସହ ସଚେତନତା ପାଇଁ ବିଭିନ୍ନ ମହଲରୁ ଉଠିଛି ଦାବି।

ମହାନଦୀ ପାଲଟିଛି ଆତ୍ମହତ୍ଯାର ହଟସ୍ପଟ୍ । ସମ୍ବଲପୁର ଦ୍ବିତୀୟ ସେତୁରୁ ଡେଇଁ ଜୀବନ ହାରୁଛନ୍ତି ଅନେକ । ପୁଣି ଜଣେ ଛାତ୍ରୀଙ୍କ ଜୀବନ ନେଇଛି ଭରାନଈ । ସଚେତନତା ଓ ସୁରକ୍ଷା ପାଇଁ ବିଭିନ୍ନ ମହଲରୁ ଦାବି । ସମୟ ସକାଳ ୬ଟା । ସମ୍ବଲପୁର ଚାଉଁରପୁର ବ୍ରିଜ ନିକଟରେ ପହଞ୍ଚିଥିଲେ ହିନ୍ଦୀ ହାଇସ୍କୁଲର କାଜଲ ସାହାଣୀ । ସାଇକେଲ ରଖି ବ୍ରିଜ ବାଡ଼ା ନିକଟକୁ ଯାଇଥିଲେ । ମଣ୍ଣିଂୱାକ୍ କରୁଥିବା କିଛି ଲୋକ ପାଟି କରି ତାଙ୍କୁ ଅଟକାଇବା ପୂର୍ବରୁ ମହାନଦୀର ଭରା ନଈକୁ ଲମ୍ଫ ମାରିଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆରମ୍ଭ କରିଦେଇଥିଲେ ଉଦ୍ଧାର କାର୍ଯ୍ଯ । ହେଲେ କାହିଁକି ଛାତ୍ରୀ ଜଣକ ଏପରି ଚରମ ନିଷ୍ପତ୍ତି ନେଲେ ତାହା ଅସ୍ପଷ୍ଟ ଥିବାବେଳେ ଝିଅକୁ ନପାଇ ଦୁଃଖରେ ଭାଙ୍ଗି ପଡ଼ିଛି ପରିବାର ।

ସମ୍ବଲପୁର ମହାନଦୀ ଦ୍ଵିତୀୟ ସେତୁରେ ବାରମ୍ବାର ଏପରି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷ ହୀରାକୁଦ ପାଣି ଛାଡ଼ିଲେ ବଢୁଛି ଆତ୍ମହତ୍ୟା। ବାରମ୍ବାର ଅଭିଯୋଗ ପରେ ମଧ୍ଯ ବ୍ରିଜରେ ନା ଲାଗିଛି ସିସିଟିଭି ନା ହୋଇଛି ବ୍ଯାରିକେଡ। ଗତ ଦୁଇବର୍ଷ ମଧ୍ଯରେ ୧୦ ଜଣ ଯୁବତୀ ଏହି ବ୍ରିଜରୁ ଡେଇଁ ଆତ୍ମହତ୍ଯା କରିଥିଲେ ସୁଦ୍ଧା ପ୍ରଶାସନ ଚୁପ ବସିଥିବାରୁ ତୁରନ୍ତ ସୁରକ୍ଷା ବ୍ଯବସ୍ଥା କରିବାକୁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି । ହୀରାକୁଦ ପାଣି ଛାଡ଼ିଲେ ବଢୁଛି ମହାନଦୀର ଜଳସ୍ତର। ଆଉ ସେହି ସମୟରେ ଘଟୁଛି ଆତ୍ମହତ୍ଯା ପରି ଅଘଟଣ । ତେଣୁ ସଚେତନ ସହ ଏହି ସମୟରେ ସୁରକ୍ଷାକୁ କଡ଼ାକଡ଼ି କରିବାର ଆବଶ୍ଯକତା ରହିଛି ।