ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ରାଜ୍ଯ ବିଜେପି ଦୁଇ ଫାଳ, ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ରାଜ୍ଯ ବିଜେପି ଦୁଇ ଫାଳ ।  ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିରେ ଦୁଇ ପ୍ରାର୍ଥୀ । ଦଳୀୟ ପ୍ରାର୍ଥୀ ହିସାବରେ ମମତା ମହାନ୍ତ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ଯ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନର ଶେଷ ମୁହୂର୍ତ୍ତରେ ପ୍ରାର୍ଥିପତ୍ର ଭରିଛନ୍ତି ଜଗନ୍ନାଥ । ଜଗନ୍ନାଥଙ୍କ ପ୍ରାର୍ଥିତ୍ବ ପାଇଁ ବିଜେପିର ୧୦ ବିଧାୟକ ପ୍ରସ୍ତାବକ ଓ ସମର୍ଥକ ଭାବେ ଦସ୍ତଖତ କରିଛନ୍ତି । ବିଜେପିରୁ ଦୁଇ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ଦଳରେ ଗୋଷ୍ଠୀ ବିବାଦ ଓ ଅନ୍ତକନ୍ଦଳ ରହିଥିବା ସନ୍ଦେହ କରାଯାଉଛି । ମମତା ମହାନ୍ତ ବିଜେଡିରୁ ରାଜ୍ଯସଭା ସାଂସଦ ରହିଥିଲେ । ପରେ ବିଜେଡି ଓ ରାଜ୍ଯସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ମମତା ରାଜ୍ଯସଭାରୁ ପ୍ରାର୍ଥୀ ହେବେ ବୋଲି ବିଜେପି ସଂସଦୀୟ କମିଟି ଗତକାଲି ଘୋଷଣା କରିଥିଲା ।  ଆଜି ସକାଳେ ମମତା ଉପନିର୍ବାଚନ ପାଇଁ ମୁଖ୍ଯମନ୍ତ୍ରୀ, ରାଜ୍ଯ ବିଜେପି ସଭାପତି ଓ ଅନ୍ଯ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ । ଏବେ ଜଗନ୍ନାଥ କାହିଁକି ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଜଗନ୍ନାଥ ବିଜେପିରେ ବିଦ୍ରୋହୀ ପ୍ରାର୍ଥୀ ଭାବେ ଛିଡ଼ା ହେଉଛନ୍ତି କି ବୋଲି ପ୍ରଶ୍ନ ଉଠିଛି । ତେବେ ଦଳୀୟ ପ୍ରାର୍ଥୀ ହିସାବରେ ମମତାଙ୍କ ନାଁ ଘୋଷଣା ହୋଇଥିବାବେଳେ କିଭଳି ଜଗନ୍ନାଥଙ୍କ ସପକ୍ଷରେ ୧୦ ବିଧାୟତ ପ୍ରସ୍ତାବକ ରହିଲେ ତାହା ମଧ୍ଯ ପ୍ରଶ୍ନ ଘେରରେ ।