ଅବ୍ୟବସ୍ଥା ଘେରରେ ବ୍ରହ୍ମପୁର ଏମକେସିଜି ମେଡିକାଲ

ବ୍ରହ୍ମପୁର : ଅବ୍ଯବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲ । ଘରୋଇ ସଂସ୍ଥାର ମନମାନୀ ଯୋଗୁଁ ହନ୍ତସନ୍ତ ଲୋକେ । ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ନିୟମିତ ବେଡସିଟ୍ ମିଳୁନଥିବା ଅଭିଯୋଗ ହୋଇଛି । ଫଳରେ ଏକାଧିକ ଦିନ ଧରି ଅପରିଷ୍କାର ବେଡସିଟ୍ ଉପରେ ଶୋଉଛନ୍ତି ରୋଗୀ । ବେଡସିଟ୍ ଦାୟିତ୍ବରେ ଥିବା ଘରୋଇ ସଂସ୍ଥାର ଅବହେଳା ଯୋଗୁଁ ଘାଣ୍ଟି ହେଉଛନ୍ତି ରୋଗୀ । ଏନେଇ ଦାୟିତ୍ୱରେ ଥିବା ଆଂଶିକା ସର୍ଭିସ୍ ସଂସ୍ଥାର ସୁପରଭାଇଜର କହିଛନ୍ତି, ସଫା କରାଯିବା ପରେ ୱାର୍ଡକୁ ବେଡସିଟ ଫେରସ୍ତ କରାଯାଉଛି । ପ୍ରତ୍ୟେକ ବର୍ଷ ନୂତନ ବେଡସିଟ ମଧ୍ଯ କ୍ରୟ କରାଯାଉଛି । ଗୋଟିଏ ଶଯ୍ୟା ପିଛା ୭ଟି ବେଡସିଟ ପ୍ରଦାନ କରାଯାଉଛି । ତେବେ ସଂସ୍ଥାର ଠିକାଦାର ଭୁବନେଶ୍ବରରେ ରହି ଅପେରେଟ କରୁଥିବାରୁ ଏପରି ଅବ୍ଯବସ୍ଥା ଥିବା କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ଠିକାଦାରଙ୍କ କହିବା ଅନୁଯାଇ ପ୍ରତିଦିନ ୮ଶହ ବେଡସିଟ ସଫେଇ ହେଉଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ଯଦି ଏହା ସତ ତାହାହେଲେ ରୋଗୀଙ୍କୁ ଠିକରେ ମିଳୁନାହଁ କାହିଁକି ? ଅନ୍ୟପଟେ ଅନେକ ରୋଗୀ ବେଡ ନ ପାଇ ଚଟାଣରେ ଚିକିତ୍ସିତ ହେଉଛନ୍ତି ହେଲେ ସେମାନଙ୍କୁ ମଧ୍ଯ କୌଣସି ପ୍ରକାର ସୁବିଧା ମିଳିପାରୁ ନାହିଁ । ଫଳରେ ରୋଗୀଙ୍କ ସମ୍ପର୍କୀୟ ଓ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।