ମୁଖ୍ୟଯନ୍ତ୍ରୀ ତାରାପ୍ରସାଦଙ୍କ ଘରେ ମିନି ଜୁଏଲାରୀ ଦୋକାନ

ଭୁବନେଶ୍ବର: ଘର ନୁହେଁତ ଅଳଙ୍କାର ଦୋକାନ । ଘରେ ରହିଛି ଅଳଙ୍କାର ଦୋକାନ ଭଳି ପୁଳା ପୁଳା ସୁନା ଓ ଦାମୀ ଗହଣା । ସରକାରୀ ଟଙ୍କାରେ ବାବୁ ଜଣକ ଚାକଚକ୍ୟ ଜୀବନ ବିତାଉଥିଲେ । ସୁନା ଗହଣା ସହ, ସୁନା ବିସ୍କୁଟ, ସୁନା ଓ ରୂପା କଏନ, ଭିନ୍ନ ଭିନ୍ନ ଡିଜାଇନର ଦାମୀ ଘଣ୍ଟା ଏବଂ ବିଦେଶୀ ମୁଦ୍ରା ଠାବ ହୋଇଛି। ଏସବୁ ଦେଖିଲେ ଲାଗୁଛି ଯେମିତି ବାବୁଙ୍କ ଘରେ ମିନି ଜୁଏଲାରୀ ହୋଇଥିଲା। ନିଜର ଚାକିରି ସମସୟରେ ଏତେ ପରିମାଣର ସୁନା ଗହଣା, ଏକାଧିକ ଫ୍ଲାଟ୍‌‌ କିଭଳି କିଣିଲେ ସେ ନେଇ ଖୋଳତାଡ କରୁଛି ଭିଜିଲାନ୍ସ।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ଵର, କଟକ ଓ ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ। କୋଉଠି କାନ୍ଥରେ ବନ୍ଧୁକ ଟଙ୍ଗା ହୋଇଛିତ ଆଉ କେଉଁଠୁ ମିଳିଛି ବ୍ରାଣ୍ଡେଡ଼ ଘଣ୍ଟା ଓ ବ୍ରାଣ୍ଡେଡ଼ ଚଷମା ଏବଂ ବିଦେଶୀ ମୁଦ୍ରା । ଏବେବି ଭିଜିଲାନ୍ସ ଚଢାଉ ଜାରି ରଖିଛି।

ଭିଜିଲାନ୍ସ ଚଢାଉରେ ୪୦ରୁ ଅଧିକ ଅଧିକାରୀ ସାମିଲ ହୋଇଛନ୍ତି । ୧୨ ଡିଏସପି, ୧୨ ଇନ୍ସପେକ୍ଟର ଓ ୧୬ ଜଣ ଏଏସଆଇଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଚାଲିଛି ବିଭିନ୍ନ ସ୍ଥାନରେ ରେଡ୍। ଭୁବନେଶ୍ଵର ନୟାପଲ୍ଲୀ ଅର୍ପଣ ଆପାର୍ଟମେଣ୍ଟରେ ଥିବା ବାସଭବନରେ ଚାଲିଛି ରେଡ। ଏହାସହ ଭୁବନେଶ୍ଵର କସମୋପଲିସରେ ଥିବା ଦୁଇଟି ଫ୍ଲାଟ, ଝାରସୁଗୁଡ଼ାରେ ଥିବା ଆଶିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ ଏବଂ କଟକ ଆଠଗଡରେ ଥିବା ପୈତୃକ ଘର ଏବଂ ଜଣେ ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । ଭୁବନେଶ୍ଵର ନୟାପଲ୍ଲୀ ନୀଳକଣ୍ଠନଗରରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ କରୁଛି।