ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗର ୬ ସଦସ୍ୟ ଗିରଫ, ଯାହା ଜବତ ହେଲା ଦେଖିଲେ ହୋଇଯିବେ କାବା

ଢେଙ୍କାନାଳ: ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାରେ ଘୁରିବୁଲୁ କରୁଥିଲେ ଡକାୟତି । ଏମିତି ଏକ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଢେଙ୍କାନାଳ ପୋଲିସ । ଗ୍ୟାଙ୍ଗର ୬ ଜଣ ସଦସ୍ୟଙ୍କୁ ବାନ୍ଧିଛି ପୋଲିସ । ସେମାନଙ୍କ ନିକଟରୁ ବହୁ ପରିମାଣର ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ, ଲାପଟପ, ମୋବାଇଲ ଫୋନ, ସୁନା କାନଫୁଲ, ସୁନା ଚୁଡ଼ି, ଚାରୋଟି ସ୍କୁଟି, ଗୋଟିଏ ବାଇକ୍ ସମେତ ବିପୁଳ ପରିମାଣର ମାର୍ବଲ ଟାଇଲ ଜବତ କରାଯାଇଛି ।

ଦୀର୍ଘଦିନ ହେବ ଏହି ୬ ଜଣିଆ ଗ୍ୟାଙ୍ଗ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ଅନୁଗୁଳ ଜିଲ୍ଲାରେ ଆତଙ୍କ ଖେଳାଇ ଥିଲେ । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ୬୪ଟି ଅପରାଧିକ ମାମଲା ରୁଜୁ ହୋଇଥିଲା । ତେବେ ଚାଲିକିର ସହ ହାତ ସଫେଇ କରୁଥିବା ଡକାୟତମାନଙ୍କୁ ଧରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା ।

କାମାକ୍ଷାନଗର ଏସଡିପିଓଙ୍କ ନେତୃତ୍ୱରେ ପରଜଙ୍ଗ, କାମାକ୍ଷାନଗର, ତୁମୁସିଙ୍ଗା ଓ କଙ୍କଡାହାଡ଼ ଥାନା ଅଧିକାରୀଙ୍କ ଏକ ମିଳିତ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି । ଏହି ଗ୍ୟାଙ୍ଗ ବିଶେଷ କରି ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ଓ ଘରଗୁଡିକ ଉପରେ ନଜର ରଖି ଡକାୟତି କରୁଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ସନ୍ଦୀପ ସମ୍ପଦ ମଡକର ।

ଗିରଫ ଅଭିଯୁକ୍ତମାନେ ହେଲେ ଗ୍ୟାଙ୍ଗ ମୁଖ୍ୟ ବିଜୟ ପରିଡା, ସହଯୋଗୀ ବିରାସ ବେହେରା, ଅଞ୍ଜନ ବେହେରା, ସତ୍ୟବାନ ପ୍ରଧାନ, କାଁହୁ ନାଏକ ଏବଂ ପ୍ରକାଶ ନାଏକ । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗ୍ୟାଙ୍ଗରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଚାଲିଥିବା ଢେଙ୍କାନାଳ ଏସପି କହିଛନ୍ତି ।