ରାଜ୍ୟରେ ଆଉ ତିନିଦିନ ଛେଚିବ

ନନ୍ଦିଘୋଷ ବ୍ୟୁରୋ: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଆଖପାଖରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହାସହ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ନିମ୍ନଚାପରେଖା । ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ନିର୍ଧୁମ୍ ଛେଚିବ । ଆସନ୍ତା କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କଟକ, ନୟାଗଡ, ଅନୁଗୁଳ, ବୈାଦ୍ଧ, ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୭୦ରୁ ୨୦୦ମିଲିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି । ପ୍ରଭାବରେ କମିବ ଦୃଶ୍ୟମାନ ଦୂରତା, ସୃଷ୍ଟି ହେବ ଟ୍ରାଫିକ ସମସ୍ୟା । ଭାଙ୍ଗିବ କଚ୍ଚା ଘର, ପ୍ରଭାବିତ ହେବ କଚ୍ଚା ରାସ୍ତା । ତଳିଆ ଅଞ୍ଚଳରେ ସୃଷ୍ଟି ହେବ ଜଳବନ୍ଦୀ ସ୍ଥିତି । ପାହାଡିଆ ଅଞ୍ଚଳରେ ଭୂସ୍ଖଳର ପରିସ୍ଥିତି ଉପୁଜିପାରେ । ସେହିଭଳି ପ୍ରବଳ ବର୍ଷା ନେଇ ୧୮ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପୁରୀ , ଜଗତସିଂହପୁର,କେନ୍ଦ୍ରାପଡା, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର,ଢେଙ୍କାନାଳ, ସମ୍ବଲପୁର, ବରଗଡ, ସୋନପୁର,ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ରାୟଗଡା ଓ ଦେଓଗଡ ରେ ପ୍ରବଳ ବର୍ଷା ଅର୍ଥାତ ୭ ରୁ ୧୧ ସେମି ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ଦେଓଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି ହୋଇଛି। ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ । ସେପଟେ ଜୁନ ମାସରୁ ଏବେ ସୁଦ୍ଧା ରାଜ୍ୟରେ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।