ଅଲିମ୍ପିକ୍ସ ହକି: ବେଲଜିୟମଠାରୁ ୨-୧ ଗୋଲରେ ହାରିଲା ଭାରତ

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ୟାରିସ ଅଲିମ୍ପିକରେ ବେଲଜିୟମ ବିପକ୍ଷରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି । ଭାରତକୁ ୨-୧ ଗୋଲରେ ହରାଇଛି ବେଲଜିୟମ । ମ୍ୟାଚର ପ୍ରଥମ ଭାଗରେ ଭାରତ ୧-୦ରେ ଅଗ୍ରଣୀ ଥିବାବେଳେ ଦ୍ବିତୀୟ ଭାଗରେ ଖେଳ ଓଲଟିଯାଇଥିଲା । ଦୁଇଟି ଗୋଲ କରି ବେଲଜିୟମ ଭାରତଠାରୁ ବିଜୟ ଛଡାଇ ନେଇଛି । ପ୍ୟାରିସ ଅଲିମ୍ପିକରେ ଏହା ଭାରତର ପ୍ରଥମ ପରାଜୟ ହେଇଥିବାବେଳେ ବେଳଲଜିୟମ ଟୁର୍ଣ୍ଣାମେଣ୍ଟରେ ଅପରାଜିତି ରହିଛି । ଏହାସହିତ ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡକୁ ୫-୦ରେ ପରାସ୍ତ କରି ବିଜୟୀ ହେଇଛି ।

ଭାରତ, ବେଲଜିୟମ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଅଲିମ୍ପିକର ଗ୍ରୁପ ବି ରେ ଅଛନ୍ତି । ବେଲଜିୟମ ୪ଟି ମ୍ୟାଚରେ ବିଜୟୀ ହେଇ ୧୨ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୩ଟି ମ୍ୟାଚରେ ବିଜୟୀ ହେଇ ଦ୍ବିତୀୟ ସ୍ଥାନରେ ଥିବାବେଳେ ଭାରତ ୭ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି । ଏହାପୂର୍ବରୁ ଭାରତ ଦ୍ବିତୀୟ ସ୍ଥାନରେ ଥିବାବେଳେ ବେଲଜିୟମଠାରୁ ପରାସ୍ତ ହୋଇ ତୃତୀୟ ସ୍ଥାନକୁ ଖସିଆସିଛି । ବର୍ତ୍ତମାନ ଦେଖିବାକୁ ଗଲେ ଭାରତ ୨ଟି ମ୍ୟାଚରେ ବିଜୟୀ ହେବା ସହିତ ଗୋଟିଏ ମ୍ୟାଚରେ ଡ୍ର ଏବଂ ଅନ୍ୟ ଏକ ମ୍ୟାଚରେ ପରାଜିତ ହେଇଛି । ଏହିପରି ଭାବରେ ଆର୍ଜେଣ୍ଟିନା ଚତୁର୍ଥ ସ୍ଥାନରେ, ନ୍ୟୁଜିଲ୍ୟାଣ୍ଡ ପଞ୍ଚମ ସ୍ଥାନରେ ଏବଂ ଆର୍ୟଲ୍ୟାଣ୍ଡ ଷଷ୍ଠ ସ୍ଥାନରେ ଅଛନ୍ତି । ଭାରତର ପରବର୍ତ୍ତୀ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଥିବାବେଳେ ମ୍ୟାଚଟି ଶୁକ୍ରବାର ଖେଳାଯିବ ।

ଗୁରୁବାର ଭାରତ ବେଲଜିୟମ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା । ଉଭୟ ଦଳ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ମ୍ୟାଚରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ମ୍ୟାଚର ୧୮ ମିନିଟରେ ଅଭିଷେକ ଭାରତ ପାଇଁ ପ୍ରଥମ ଗୋଲ କରିଥିଲେ । ଯଦ୍ବାରା ତିନି ତିନି ଥର ଜିତିଥିବା ବେଲଜିୟମ ଚାପ ଭିତରକୁ ଆସିଯାଇଥିଲା । କିନ୍ତୁ ବେଲଜିୟମ ଦ୍ବିତୀୟ କ୍ବାର୍ଟରର ୭ ମିନିଟରେ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା । ବେଲଜିୟମ ପ୍ରାୟତଃ ପେନାଲ୍ଟି ସ୍କୋରରୁ ଗୋଲ ହାସଲ କରିଥାଏ କିନ୍ତୁ ଏହି ମ୍ୟାଚରେ ଭାରତର ଓ୍ବାଲ ଭାବେ ଜଣାଶୁଣା ଗୋଲକିପର ଶ୍ରୀଜେଶ ସ୍କୋର କରିବାକୁ ସୁଯୋଗ ଦେଇନଥିଲେ ।

ବେଲଜିୟମ ପରି ଭାରତ ମଧ୍ୟ ଦ୍ବିତୀୟ କ୍ବାର୍ଟରର ୧୦ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା କିନ୍ତୁ ଦଳ ଏହାର ଫାଇଦା ନେଇପାରିନଥିଲା । ଭାରତର ପ୍ରଥମ ଗୋଲ ପରେ ଉଭୟ ଦଳ ଆକ୍ରମଣ ଜାରି ରଖିଥିଲେ ସୁଦ୍ଧା ଦ୍ବିତୀୟ କ୍ବାର୍ଟରରେ କୌଣସି ସଫଳତା ମିଳି ନଥିଲା । ଦ୍ବିତୀୟ କ୍ବାର୍ଟର ସୁଦ୍ଧା ସ୍କୋର ଭାରତ ସପକ୍ଷରେ ଥିଲା ।

କିନ୍ତୁ ବେଲଜିୟମ ପ୍ରଥମାର୍ଦ୍ଧର ବିଫଳତାକୁ ଭୁଲି ଦ୍ବିତୀୟାର୍ଦ୍ଧରେ ଗୋଲ କରି ନିଜର ଖାତା ଖୋଲିଥିଲା । ଏହି କ୍ବାର୍ଟରର ୩ ମିନିଟରେ ଏକ ଫିଲ୍ଡ ଗୋଲ କରି ଭାରତ ସ୍କୋର ସହିତ ନିଜ ସ୍କୋରକୁ ସମାନ କରିଦେଇଥିଲା । ସ୍କୋରକୁ ସମାନ କରିବା ପରେ ବେଲଜିୟମ ଭାରତ ଉପରେ ଚାପ ପକାଇ ତୃତୀୟ କ୍ବାର୍ଟରର ୧୩ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ନେଇଥିଲା । ଏହି ପେନାଲ୍ଟି କର୍ଣ୍ଣର ପରେ ବେଲଜିୟମ ଆଉ  ଏକ ପେନାଲ୍ଟି କର୍ଣ୍ଣର ନେଇ ଗୋଲ କରିବାରେ ସଫଳ ହୋଇଥିଲା  । ଯାହା ବେଲଜିୟମକୁ ୨-୧ରେ ଆଗୁଆ କରିଥିଲା ।  ଭାରତ ଏହି ଗୋଲର ଏକ ମିନିଟ ପରେ ଗୋଟିଏ ପେନାଲ୍ଟି କର୍ଣ୍ଣର ପାଇଥିଲେ ବି ଏହାକୁ ଗୋଲରେ ପରିଣତ କରିପାରି ନଥିଲା ।

ତୃତୀୟ କ୍ବାର୍ଟରେ ପରେ ଭାରତୀୟ ଦଳ ୨-୧ରେ ପଛୁଆ ଥିବା ବେଳେ ଚତୁର୍ଥ କ୍ବାର୍ଟରରେ ଭାରତ କ୍ରମାଗତ ଆକ୍ରମଣ କରିଥିଲା କିନ୍ତୁ ଗୋଟିଏ ମଧ୍ୟ ଗୋଲ ସ୍କୋର କରିପାରି ନଥିଲା । ମ୍ୟାଚର ୫୩ ମିନିଟରେ ସଞ୍ଜୟଙ୍କୁ ଏକ ଭଲ ସୁଯୋଗ ମିଳିଥିଲା, କିନ୍ତୁ ସେ ସଟରୁ ବଞ୍ଚିତ ହୋଇଥିଲେ । ଏହାର ଏକ ମିନିଟ୍ ପରେ ଯେତେବେଳେ ରେଫରୀ ରାଜକୁମାର ପାଲଙ୍କୁ ହଳଦିଆ କାର୍ଡ ଦେଖାଇଲେ ସେତେବେଳେ ଭାରତକୁ ଏକ ଝଟକା ଲାଗିଥିଲା ଏବଂ ୧୫ ମିନିଟ ପାଇଁ ତାକୁ ଫିଲ୍ଡ ବାହାରେ ରହିବାକୁ ପଡିଥିଲା । ମ୍ୟାଚର ୫୯ ମିନିଟରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା । ହାର୍ଦ୍ଦିକ ବଲକୁ ଇଞ୍ଜେକ୍ଟ କରିଥିଲେ, ଯେଉଁଥିରେ ହରମାନପ୍ରୀତ ଏକ ତୀକ୍ଷ୍ଣ ସଟ୍ ନେଇଥିଲେ । ବେଲଜିୟମ ପେନାଲ୍ଟି କର୍ଣ୍ଣରକୁ ପ୍ରତିହତ କରିବାକୁ ସକ୍ଷମ ହୋଇଥିଲା ।