ଶିମଲାରେ ବାଦଲଫଟା ବର୍ଷା: ୨ ମୃତ, ୩୨ ନିଖୋଜ

1 min read
ନନ୍ଦିଘୋଷ ବ୍ୟୁରୋ: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା। ଶିମଲାର ରାମପୁରରେ ବାଦଲଫଟା ବର୍ଷାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ରୁ ଅଧିକ ଲୋକ ନିଖୋଜ ହୋଇଥିବା ସୂଚନା ମିଳିଛି। ବାଦଲଫଟା ବର୍ଷା ଯୋଗୁଁ ରାମପୁରରେ ବନ୍ୟା ପରିସ୍ଥିତି ଉପୁଜିଛି । ଗୁରୁବାର ସକାଳେ ଏହି ଘଟଣା ସାମ୍ନାକୁ ଆସିଛି। ଶିମଲା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଘଟଣାସ୍ଥଳରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ NDRF ଟିମ୍ ମୁତୟନ ହୋଇଛନ୍ତି। ସାମେଜ ଖାଦ ନିକଟସ୍ଥ ଏକ ଜଳବିଦ୍ଯୁତ ପ୍ରକଳ୍ପ ନିକଟରେ ଘଟିଛି ଅଘଟଣ। ବର୍ଷାରେ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମଣ୍ଡିରେ ବି ବାଦଲ ଫଟା ବର୍ଷା ହୋଇଛି। ଫଳରେ କେତେକ କୋଠା ଭୁଶୁଡି ପଡିଥିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କିଛି ମାସ ତଳେ ଭୟଙ୍କର ବାଦଲ ଫଟା ବର୍ଷା ଯୋଗୁ ହିମାଚଳରେ ନାହିଁ ନଥିବା କ୍ଷତି ଘଟିଥିଲା।