ରାଜ୍ଯରେ ଆଜିଠୁ ଆହୁରି ବଢିବ ବର୍ଷା

1 min read

ଭୁବନେଶ୍ୱର: ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ । ଆସନ୍ତା ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ସମ୍ବଲପୁର, ସୁନ୍ଦରଗଡ, ବରଗଡ଼ ଏବଂ ମାଲକାନଗିରି ଜିଲ୍ଲା ପାଇଁ ଏହି ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୩ ଦିନ ଯାଏଁ ବର୍ଷା ସମ୍ଭାବନା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ମୌସୁମୀ ଟ୍ରଫ୍ ଏବେ ସ୍ଵାଭାବିକ ସ୍ଥିତି ରେ ରହିଛି ଆସନ୍ତା ୪-୫ ଦିନ ମଧ୍ୟରେ ଏହା କ୍ରମଶଃ ଉତ୍ତର ଆଡ଼କୁ ଅଗ୍ରସର ହେବ ।

ଆସନ୍ତା ୩ ଦିନ ଯାଏଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ତେବେ ଉତ୍ତର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ବରଗଡ଼, ସମ୍ୱଲପୁର, ଦେବଗଡ଼, କେଉଁଝର, ଅନୁଗୁଳ, ଢ଼େଙ୍କାନାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର , ନୂଆପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ (୧୨-୨୦ସେମି ) ବର୍ଷା ସମ୍ଭାବନା ରହିଛି।

ସେହିପରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ମହାନଦୀ ଉପରମୁଣ୍ଡ ଅଞ୍ଚଳ ରେ ଆସନ୍ତା ୩ ଦିନ ଯାଏଁ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି।