ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ପୁଣି ଆସୁଛି ବଡ ବର୍ଷା

1 min read

ନନ୍ଦିଘୋଷ ବ୍ୟୁରୋ:  ପୁଣି ଆସୁଛି ବଡ ବର୍ଷା । ଚଳିତ ମାସ ଶେଷ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଜୁଲାଇ ୩୧ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ବର୍ଷା ଲାଗି ରହିଛି । ଆଜି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ୩୦ ତାରିଖରେ ଉତ୍ତର ଓଡ଼ିଶାର ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ୩୧ ତାରିଖରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଏଥିପାଇଁ ଉତ୍ତର-ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ୧, ୨ ଏବଂ ୩ ତାରିଖରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଉତ୍ତର-ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲିବା ପରେ ହିରାକୁଦର ୨୦ଟି ଗେଟ ଖୋଲାଯାଇଛି । ତେବେ ଆଗକୁ ଛତିଶଗଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାର ମହାନଦୀରେ ଆହୁରି ଅଧିକ ଜଳ ପ୍ରବାହିତ ହୋଇପାରେ । ମହାନଦୀ ଫୁଲିବା ପରେ ଶାଖା ନଦୀ ଗୁଡିକ ବି ଫୁଲିବା ଆରମ୍ଭ କରିବ । ତେଣୁ ସାମ୍ଭାବ୍ୟ ଘୂର୍ଣ୍ଣିବଳୟ ଯଦି ଲଘୁଚାପର ରୂପ ନିଏ ତେବେ ବନ୍ୟା ସ୍ଥିତି ସଂଗୀନ ହୋଇପାରେ । ସେପଟେ ଲଗାଣ ବର୍ଷା ସମ୍ଭାବନା କୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ସବୁ ନଦୀ ବନ୍ଧର ଦୁର୍ବଳ ସ୍ଥାନ ଉପରେ ତୀକ୍ଷ୍ନ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।