ଓଡ଼ିଆ ସିନେ ଜଗତକୁ ଅବହେଳା, ବଜେଟ ନେଇ ନିରାଶ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିଜ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ସିନେ ଇଣ୍ଡଷ୍ଟ୍ରିଜ ଆଗକୁ ବଢିବ । ଏଥିପାଇଁ ନୂଆ ମୁଖ୍ଯମନ୍ତ୍ରୀଙ୍କୁ ଭେଟି ସମସ୍ଯା ବିଷୟରେ ଜଣାଇଥିଲେ ପ୍ରଯୋଜକ, କଳାକାର । ବଜେଟରେ ଏନେଇ ବ୍ଯବସ୍ଥା ହେବ ବୋଲି ଆଶା ବି ରଖିଥିଲେ । ହେଲେ ମିଳିଲା ନିରାଶା । ପୂର୍ବ ସରକାର କଳିଙ୍ଗ ଷ୍ଟୁଡିଓ ପାଇଁ ଦେଇଥିଲେ ଦୁଇଶହ କୋଟି, ନୂଆ ବିଜେପି ସରକାର ଦେଲା ମାତ୍ର ୨୦ କୋଟି । ରାଜ୍ଯ ସରକାରଙ୍କ ସିନେ ଜଗତ ପ୍ରତି ଏହି ଅନୁକମ୍ପାକୁ ନେଇ ଦାନା ବାନ୍ଧିଛି ପୁଞ୍ଜିଭୂତ ଅସନ୍ତୋଷ ।

ଓଡ଼ିଆ ସିନେ ଜଗତକୁ ଅବହେଳା । ପ୍ରୋତ୍ସାହନ ନାଁରେ ମିଳିଲା ଲଲିପପ । ବଜେଟ ନେଇ ନିରାଶ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିଜ । ଦାନା ବାନ୍ଧୁଛି ପୁଞ୍ଜିଭୂତ ଅସନ୍ତୋଷ । ଓଡ଼ିଆ ଅସ୍ମିତା କଥା କହି ରାଜ୍ଯରେ ଶାସନକୁ ଆସିଥିଲା ବିଜେପି ସରକାର । ଆଶାଥିଲା ଏହି ଅସ୍ମିତାର ବାର୍ତ୍ତାବର ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିଜର ହେବ ଉନ୍ନତି । ବଦଳିବ କଳାକାରଙ୍କ ଦୁର୍ଦ୍ଦିନର ଦିନ । ହେଲେ ଚଳିତ ବଜେଟରେ ସିନେମା ପାଇଁ କିଛି ମିଳିଲାନି । କେବଳ କଳିଙ୍ଗ ଷ୍ଟୁଡିଓ ପାଇଁ ଆସିଲା ୨୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ । ରାଜ୍ୟରେ ଏକ ଫିଲ୍ମ ସିଟି ନିର୍ମାଣ କରିବାକୁ ଯୋଜନା । ଯାହାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅସନ୍ତୋଷ ପ୍ରକାଶ ପାଇଛି । ସିନେ ପ୍ରଯୋଜକ, ସିନେ ସମୀକ୍ଷକ ଓ ମିଡ଼ିଆ ପ୍ଲାନରଙ୍କ କହିବା କଥା, ସରକାର ବଜେଟ୍ ଆଣିଲେ ଅଥଚ ଓଡ଼ିଆ ସିନେମାର ଉନ୍ନତି ତଥା ଅନ୍ୟାନ୍ୟ ଦିଗକୁ ଦେଖିଲେ ନାହିଁ । ୮୮ ବର୍ଷ ଓଡ଼ିଆ ସିନେମା ଶିଳ୍ପରେ ଅନେକ ସମସ୍ୟା ରହିଛି । ଏଥିପାଇଁ ଅନେକ ସଂଘ, ଅନୁଷ୍ଠାନ ଓ ବ୍ୟକ୍ତି ନିଜ ନିଜ ସ୍ତରରେ ସରକାରଙ୍କ ସହ ଆଲୋଚନା କରିଥିଲେ । କିଛି ଫଳ ମିଳିଲା ନାହିଁ ବୋଲି କହିଛନ୍ତି ପ୍ରଯୋଜକ ଓ ସମୀକ୍ଷକ ।

ଓଡ଼ିଆ ସିନେମା ଜଗତ ପାଇଁ ଏହା ଏକ ନୈରାଶ୍ୟ ଜନକ ବଜେଟ୍ ବୋଲି କହିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ତେଣୁ ସରକାର ଭଲ ସିନେମା ନିର୍ମାଣ ପାଇଁ ୨୦ କୋଟି ସବସିଡି ବ୍ୟବସ୍ଥା କରିଥିଲେ ଭଲ ହୋଇଥାନ୍ତା । ପୂର୍ବ ସରକାର କଳିଙ୍ଗ ଷ୍ଟୁଡିଓ ପାଇଁ ଦୁଇଶହ କୋଟି ଦେଇଥିଲେ । ଏବେ ପୁଣି ୨୦ କୋଟି ଦେଇ ସରକାର କାହାର ଉନ୍ନତି କରିବାକୁ ଚେଷ୍ଟା କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।ଓଡ଼ିଆ ଅସ୍ମିତାର କଥା କହି ଓଲିଉଡକୁ ଠକି ଥିବାରୁ ଆଗାମୀ ଦିନରେ ସମସ୍ଯାର ସମାଧାନ ନହେଲେ ସିନେ କଳାକାର ଓ ପ୍ରଯୋଜକ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।