ଦେବୀ ନଦୀକୂଳରେ ବାଲି ମାଫିଆଙ୍କ ରାଜ, ରାତି ହେଲେ ବେଧଡକ ଚାଲିଛି ବାଲି ଚୋରା ଚାଲାଣ

ନନ୍ଦିଘୋଷ ବ୍ୟୁରୋ: ଦେବୀ ନଦୀକୂଳରୁ ଉଠୁଛି ଟନ ଟନ ବାଲି। ଲକ୍ଷ ଲକ୍ଷ ଟଙ୍କା ରାଜ୍ଵସ ଲୁଟ କରୁଛନ୍ତି ବାଲି ମାଫିଆ। ପୁରୀ କାକଟପୁରରୁ କିଛି ଦୂରରେ ଥିବା ବାଲିକୂଳ ନଦୀପଠାରେ ବାଲି ମାଫିଆଙ୍କ ରାଜ। ନିର୍ଦ୍ଧାରିତ ଲିଜ ଏରିଆକୁ ବାଦ ଦେଇ ମାଫିଆ ବାଲି ଉଠାଉଥିବା ଅଭିଯୋଗ। ନଦୀଗର୍ଭରେ ସୃଷ୍ଟି ହେଉଛି ବଡ଼ ବଡ଼ ଗାତ। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ନଦୀ କୂଳିଆ ବାସିନ୍ଦା।

ଦେବୀ ନଦୀକୂଳରେ ବାଲି ମାଫିଆଙ୍କ ରାଜ । ରାତି ହେଲେ ବେଧଡକ ଚାଲିଛି ବାଲି ଚୋରା ଚାଲାଣ । କିଟ୍ ମିଟ୍ ଅନ୍ଧାରରେ ଚାଲିଛି କୋଟି କୋଟି ଟଙ୍କାର ଖେଳ। ରାତି ସହିତ ଯେମିତି ଶୋଇଯାଇଛି ପ୍ରଶାସନ। ଲୁଟ ହେଉଛି ହଜାର ହଜାର ଟ୍ରାକ୍ଟର ବାଲି। ଦେବୀ ନଦୀ କୂଳ କାକଟପୁର ଓ ଜଗତସିଂହପୁର ଜିଲ୍ଲା ସଂଲଗ୍ନ ଅଞ୍ଚଳ। ବାଲି ଚୋରା ଚାଲାଣର ଏ ଦୃଶ୍ଯ ଦେଖନ୍ତୁ। ନଦୀପଠାରେ ଲାଗିଛି ଏକାଧିକ ଟ୍ରକ ଓ ଟ୍ରାକ୍ଟର । ଏ ଚିତ୍ର ହିଁ ବୟାନ କରୁଛି କେତେ ବେଖାତିର ଓ ବେଫିକର ବାଲି ମାଫିଆ। ଯୁଆଡେ ଚାହିଁବେ କେବଳ ବଡ଼ ବଡ଼ ଗର୍ତ୍ତ। ସତେ ଯେମିତି ପୋଖରୀ ଖୋଳାଯାଇଛି। ଦିନ ହେଉ କି ରାତି ଜେସିବି ଟ୍ରାକ୍ଟର ଲଗାଇ ଲୁଟ କରୁଛନ୍ତି ବାଲି। ଏହାର ପ୍ରତିବାଦରେ ବାଲି ମାଫିଆ ମାନେ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ରାତି ହେଉକି ଦିନ ମାଫିଆ ରାଜ ସହ ଚାଲିଛି ବାଲି ଚୋରା ଚାଲାଣ। ଫଳରେ ଭଣ୍ଡିସାହି, ବାଲିକୂଳ, ମୁତୁଣିଆ, ଡାହାଣୀଖିଆ, ତାଳଦା ପର୍ଯ୍ୟନ୍ତ ଦେବୀ ନଦୀ ସଲଗ୍ନ ବାଲିବନ୍ତ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି। ବାଲି ମାଫିଆଙ୍କ ରାଜ ବନ୍ଦ କରିବାକୁ ପ୍ରଶାସନ ସହ ଆଲୋଚନା କରିବେ ବୋଲି କାକଟପୁର ବିଧାୟକ ତୁଷାରକାନ୍ତି ବେହରା କହିଛନ୍ତି। ସ୍ଥିତି ଅନୁଧ୍ୟାନ କଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କାକଟପୁର ତହସିଲଦାର।