୪ ମାସ ପରେ ଆଜି ଖୋଲା ହେଲା ମାଆ ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି

ରାୟଗଡ଼ା: ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୪ ମାସ ପରେ ଆଜି ଖୋଲା ଯାଉଛି । ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୯ ଘଣ୍ଟିକା ସମୟରୁ ଖୋଲାଯାଇ ଗଣତି କରାଯାଉଛି ।

ହୁଣ୍ଡିରୁ ଦାନ ଅର୍ଥ ଗଣତି କର୍ଯ୍ୟରେ ବିଭିନ୍ନ ସଙ୍ଗଠନର ମହିଳା ଓ ପୁରୁଷ ନିୟୋଜିତ କରାଯାଇଛି। ଏଥିରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଛନ୍ତି। ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ଗଣତିରେ ନିୟୋଜିତ ଏସଏଚଜି ମହିଳା ସଦସ୍ୟ ।

ଗତ ୪ ମାସ ତଳେ ଅର୍ଥିତ୍ ମାର୍ଚ୍ଚ ୧୮ ତାରିଖ ଦିନ ଦାନ ହୁଣ୍ଡିରୁ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା, ସୁନା ୬୨ ଗ୍ରାମ ଓ ରୁପା ୨ କେଜି ୩୦୦ ଗ୍ରାମ ସଂଗ୍ରହ ହୋଇଥିଲା । ସେହିଭଳି ୬୨ ଟି ବିଦେଶ ନୋଟ୍ ମଧ୍ୟ ସଂଗ୍ରହ ହୋଇଥିଲା । ତେବେ ଚଳିତ ଥର ୮୦ ରୁ ୯୦ ଲକ୍ଷ ଟଙ୍କା ଦାନ ବାକ୍ସରୁ ମିଳିବ ବୋଲି ଆଶା କରିଛି ମନ୍ଦିର କମିଟି । ଆଜି ହୁଣ୍ଡିରୁ ବାହାରିଥିବା ଅର୍ଥକୁ ରାୟଗଡା ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଡିପୋଜିଟ କରାଯିବ ।