କାର୍ଯ୍ୟକାଳ ସରିବାର ୫ ବର୍ଷ ପୂର୍ବରୁ ଇସ୍ତଫା ଦେଲେ ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନି

ନୂଆଦିଲ୍ଲୀ: ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନି ଦେଲେ ଇସ୍ତଫା  । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି  । ମନୋଜ ସୋନୀଙ୍କ କାର୍ଯ୍ୟକାଳ ୨୦୨୯ରେ ସରିଥାନ୍ତା  । କିନ୍ତୁ କାର୍ଯ୍ୟକାଳ ସରିବାର ୫ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି  । ଗତ ୨୦୧୭ରେ ସେ ଲୋକସେବା ଆୟୋଗର ସଦସ୍ୟ ରୂପେ ସାମିଲ ହୋଇଥିଲେ  । ଏହା ପରେ ଗତ ମେ ୧୬, ୨୦୨୩ରେ ସେ ଅଧ୍ୟକ୍ଷ ଭାବେ ଶପଥ ନେଇଥିଲେ  । ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ବିବାଦ ବେଳେ ମନୋଜ ସୋନୀଙ୍କ ଇସ୍ତଫା ୟୁପିଏସସିକୁ ଆହୁରି ବିବାଦୀୟ କରିଛି  ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ମନୋଜ ସୋନୀ  । କିନ୍ତୁ ସରକାର ବର୍ତ୍ତମାନ ସୁଦ୍ଧା ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା କରି ନାହାନ୍ତି  ।

ବିଶେଷ ସୁତ୍ର ଅନୁସାରେ ମନୋଜ ସୋନୀ ଏବେ ନିଜ ସମୟ ଗୁଜୁରାଟ ସ୍ବାମୀନାରାୟଣ ସମ୍ପ୍ରଦାୟର ଏକ ବ୍ରାଞ୍ଚ ଅନୁପମ ମିଶନଙ୍କୁ ଦେବାକୁ ଚାହାନ୍କତି  । ଗତ ୨୦୨୦ରେ ଦୀକ୍ଷା ଗ୍ରହଣ କରିବା ପରେ ସେ ଅନୁପମ ମିଶନର ସାଧୁ ସାଜିଛନ୍ତି  । ମନୋଜ ସୋନୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟତର ଭାବେ ଜଣାଯାଏ  । ଗତ ୨୦୦୫ରେ ନରେନ୍ଦ୍ର ମୋଦି ତାଙ୍କୁ ବରୋଦରାର ପ୍ରସିଦ୍ଧ ଏମଏସ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଥିଲେ  । ସେହି ସମୟରେ ସେ ଦେଶର ସବୁଠାରୁ କମ ବୟସ୍କ କୁଳପତି ଭାବେ ନିଯୁକ୍ତି ପାଇଥିଲେ  ।

ଜୁନ ୨୦୧୭ରେ ୟୁପିଏସସିରେ ନିଯୁକ୍ତି ପୂର୍ବରୁ ମନୋଜ ନିଜ ଗୃହ ରାଜ୍ୟ ଗୁଜୁରାଟରେ ଦୁଇଟି ବିଶ୍ବବିଦ୍ୟାଳୟରେ ତିନି ଥର କୁଳପତି ଭାବେ ଦାୟିତ୍ବ ନେଇଛନ୍ତି  । ସୋନି ୨୦୧୫ରେ ଦୁଇ ଥର ଡ. ବାବା ସାହେବ ଆମ୍ବେଦକର ମୁକ୍ତ ବିଶ୍ବବିଦ୍ୟାଳୟରେ କୁଳପତି ଭାବେ ଦାୟିତ୍ବ ତୁଲାଇଛନ୍ତି  ।