ମହାରାଷ୍ଟ୍ର ସରକାରଙ୍କ ‘ଲାଡଲା ଭାଇ’ ଯୋଜନା, ଦ୍ବାଦଶ ପାସ ଛାତ୍ରଙ୍କୁ ମାସକୁ ମିଳିବ ୬ ହଜାର ଟଙ୍କା

ମୁମ୍ବାଇ: ଲାଡଲୀ ବେହନ ପରେ ଲାଡଲା ଭାଇ ଯୋଜନ ଆରମ୍ଭ ନେଇ ଘୋଷଣା କଲେ ମହାରାଷ୍ଟ୍ର ସରକାର । ଏହି ଯୋଜନା ଅନୁସାରେ ଦ୍ବାଦଶ ପାସ କରିଥିବା ଛାତ୍ରଙ୍କୁ ମାସକୁ ୬ ହଜାର ଟଙ୍କା ମିଳିବ । ସେହିପରି ଡିପ୍ଲୋମା ସାର୍ଟିଫିକେଟ ଥିବା ଛାତ୍ର ୮ ହଜାର ଓ ସ୍ନାତକ ସାରିଥିବା ଛାତ୍ରଙ୍କୁ ମାସକୁ ୧୦ ହଜାର ଲେଖାଏଁ ଟଙ୍କା ଦିଆଯିବ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏହି ଯୋଜନାର ଘୋଷଣା କରିଛନ୍ତି । ଶିବସେନା (ୟୁବିଟି) ପ୍ରମୁଖ ଉଦ୍ଧବ ଠାକରେ ନିକଟରେ ଯୁବବର୍ଗଙ୍କ ମଧ୍ୟରେ ବେରୋଜଗାରୀ ବଢୁଥିବା ପ୍ରସଙ୍ଗ ଉଠାଇଥିଲେ । ଯାହା ପରେ ସରକାର ଲାଡଲା ଭାଇ ଯୋଜନା ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ କହିଛନ୍ତି, ‘ସରକାରଙ୍କ ନଜରରେ ପୁଅ ଓ ଝିଅଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏହି ଯୋଜନା ବେରୋଜଗାରୀର ସମାଧାନ କରିବ । ଲାଡଲା ଭାଇ ଯୋଜନାରେ ଯୁବକଙ୍କୁ କମ୍ପାନୀମାନଙ୍କରେ କାମ କରିବାକୁ ସୁଯୋଗ ମିଳିବ ଏବଂ ସରକାରଙ୍କ ତରଫରୁ ସେମାନଙ୍କୁ ବୃତ୍ତି ମଧ୍ୟ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ଜୁନ ୨୭ରେ ମହାରାଷ୍ଟ୍ର ସରକାର ବଜେଟରେ ଲାଡଲୀ ବେହନ ଯୋଜନା ଘୋଷଣା କରିଥିଲେ । ମହିଳାମାନଙ୍କୁ ପ୍ରତିମାସ ୧୫ ଶହ ଟଙ୍କା ଦିଆଯିବାକୁ ଘୋଷଣା କରାଯାଇଥିଲା । ଏହା ୨୧ରୁ ୬୦ ବର୍ଷ ମହିଳାଙ୍କୁ ଦିଆଯିବ । ଏହି ଯୋଜନା ଜୁଲାଇରୁ ଲାଗି ହେବ ବୋଲି ବଜେଟ ସମୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଘୋଷଣା କରିଥିଲେ । ଶୁଣାଯାଉଛି ଲାଡଲା ଭାଇ ଯୋଜନା ମଧ୍ୟ ଏହା ସହ ଲାଗୁ ହେବାକୁ ଯାଉଛି ।

ଲାଡଲୀ ବେହନ ଯୋଜନା ଘୋଷଣା ପରେ ଉଦ୍ଧବ ଠାକରେ କହିଥିଲେ, ଆପଣଙ୍କୁ ଲାଡଲୀ ବେହନ ଯୋଜନା ମିଳିଗଲା । ହେଲେ ଯୁବକମାନଙ୍କ ସମ୍ପର୍କରେ ବି ଚିନ୍ତା କରନ୍ତୁ । ରାଜ୍ୟରେ ଆଜି ବହୁ ଯୁବକଙ୍କ ପାଖରେ ରୋଜଗାର ନାହିଁ । ରାଜ୍ୟର ବିକାଶ ଓ ରୋଜଗାର ପାଇଁ କୌଣସି ଯୋଜନା ନାହିଁ । ଆଗାମୀ ନିର୍ବାଚନକୁ ଦେଖି ବଜେଟ୍ ତିଆରି କରାଯାଇଛି ।