ଏଣିକି ସ୍ଵର୍ଗଦ୍ଵାରରେ ଗଣ୍ଡଗୋଳ କଲେ ଦୃଢ କାର୍ଯ୍ୟାନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ: କଠୋର ହେଲେ ଜିଲ୍ଲାପାଳ । ଗତକାଲି ଗଣ୍ଡଗୋଳ ପରେ ଜିଲ୍ଲାପାଳ ଏବେ କଡା ଆଭିମୁଖ୍ଯ ଗ୍ରହଣ କରିବାକୁ ବାହାରିଛନ୍ତି । ଏଣିକି ସ୍ଵର୍ଗଦ୍ଵାରରେ ଗଣ୍ଡଗୋଳ କଲେ ଏଫ୍ ଆଇ ଆର୍ କରିବା ପାଇଁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ ପାଇଁ ଅଧିକ ସିସିଟିଭି ଲାଗିବ । ଗତକାଲି ରାତ୍ରିରେ ସ୍ଵର୍ଗଦ୍ଵାରଠାରେ ଶବଦାହ କରିବାକୁ ଆସି କିଛି ସେବାୟତ କାର୍ଯ୍ୟରତ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାରଧର କରିଥିବା ନେଇ ଅଭିଯୋଗ ହୋଇଥିଲା । ସୂଚନା ଅନୁସାରେ ଶ୍ରୀମନ୍ଦିର ସେବାୟତ ବାସୁଦେବ ପୂଜାପଣ୍ଡାଙ୍କ ଅନ୍ତିମ ସଂସ୍କାର ପାଇଁ ସ୍ଵର୍ଗଦ୍ଵାରକୁ ଅଣାଯାଇଥିଲା । କିନ୍ତୁ କାଲି ଶବସଂଖ୍ୟା ଅଧିକ ଥିବାରୁ ସଂସ୍କାର ପାଇଁ ପିଣ୍ଡି ଖାଲି ନଥିଲା। ତେଣୁ ତୁରନ୍ତ ଗୋଟିଏ ପିଣ୍ଡି ସଫା କରାଯାଇ ଯୋଗାଇ ଦିଆ ଯାଇଥିଲା। ସ୍ଵର୍ଗଦ୍ଵାର ମୁଖ୍ୟ ସେବକ ନିଜେ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ । କିନ୍ତୁ କିଛି ସେବାୟତ ଏହି ଘଟଣାକୁ ନେଇ ଗଣ୍ଡଗୋଳ କରିବା ସହିତ ଅଫିସ ଭିତରେ ପଶି କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଧମକ ଚମକ ଦେବା ସହିତ ମାରଧର କରିଥିଲେ । ସ୍ଵର୍ଗଦ୍ଵାର କେବଳ ସେବାୟତମାନଙ୍କର । ଏଠି ବାହାର ଲୋକଙ୍କୁ କାହିଁକି ଶବ ପୋଡ଼ିବାକୁ ସୁଯୋଗ ଦିଆ ଯାଉଛି ବୋଲି କୈଫତ ମାଗିଥିଲେ । ଏହାକୁ ନେଇ ଦୀର୍ଘ ସମୟ ଧରି ସ୍ୱର୍ଗଦ୍ୱାରରେ ଉତ୍ତେଜନା ଲାଗି ରହିଥିଲା । ପରିସ୍ଥିତ ଅଣାୟତ୍ତ ହେବାରୁ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ତରଫରୁ ପୋଲିସ ଡକା ଯାଇଥିଲା । ସିସିଟିଭି ଫୁଟେଜ ଯାଞ୍ଚ ଧରା ପଡିବା ପରେ ପୋଲିସ ଉପସ୍ଥିତିରେ ସଂପୃକ୍ତ ସେବାୟତ କର୍ମଚାରୀଙ୍କୁ ଭୁଲ ମାଗିଥିଲେ । ଏହା ପରେ ପରିସ୍ଥିତି ଶାନ୍ତ ହେଇଥିଲା । କାଲି ବାହୁଡ଼ା ଯାତ୍ରା ପାଇଁ ଉପରିସ୍ଥ ଅଧିକାରୀ ବ୍ୟସ୍ତ ଥିବା ଯୋଗୁଁ ଆଜି ଏ ସମ୍ପର୍କରେ ସ୍ଵର୍ଗଦ୍ଵାର ସେବା ସମିତି ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା । ସଂପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିବା ପରେ ଆଗକୁ ଏଭଳି ଘଟଣା ଘଟିଲେ ଗଣ୍ଡଗୋଳ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଜିଲ୍ଲାପାଳ ସ୍ଵର୍ଗଦ୍ଵାର ସେବା କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।