ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର
ପୁରୀ: ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଆଜିଠୁ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରତ୍ନଭଣ୍ଡାର ଖୋଲିବା ନେଇ ମୁଖ୍ଯମନ୍ତ୍ରୀ ଚୂଡ଼ାନ୍ତ ଅନୁମୋଦନ ପରେ ଏସଓପିକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ଯକ୍ଷ ବିଶ୍ବନାଥ ରଥ କହିଛନ୍ତି ଦିନ ଗୋଟାଏ ପରେ ଶୁଭ ମୁହୂର୍ତ୍ତ ରହିଥିବା ସୂଚନା ମିଳିଛି । ଏଣୁ ଦିନ ଗୋଟାଏ ପରେ ରତ୍ନଭଣ୍ଡାର ଖୋଲିପାରେ ବୋଲି ଆଶା କରାଯାଉଛି ।
ରତ୍ନଭଣ୍ଡାର ଖୋଲାଯିବା ପରେ ସବୁ ପର୍ଯ୍ୟାୟ କ୍ରମାଗତ ଭାବେ କରାଯିବ । ରତ୍ନଭଣ୍ଡାର ଭିତରକୁ ଯିବାଠୁ ଗଣତି ପର୍ଯ୍ୟନ୍ତ ସବୁ କାର୍ଯ୍ୟ ସତର୍କତାର ସହ କରାଯିବ । ଏହାକୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ଭାବେ ପରିଗଣିତ କରାଯିବ । ଅତି ନିଖୁଣ ଭାବେ ଅଳଙ୍କାରର ଗଣତି କରାଯିବ । ଗଣତି ମଣତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିବ । ଗଣତି କାର୍ଯ୍ୟରେ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆର ପ୍ରତିନିଧି ରହିବେ । ପ୍ରକ୍ରିୟାର ସୁପରିଚାଳନା ପାଇଁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।
ପ୍ରଭୁଙ୍କର ପ୍ରତିଟି ଅଳଙ୍କାରର ସଂଖ୍ଯା, ଓଜନ ଓ ମାନର ଡିଜିଟାଲ ଲାଇବ୍ରେରୀ ହେବ । ଆଗାମୀ ଦିନ ପାଇଁ ଏକ ଡିଜିଟାଲ ଡକ୍ଯୁମେଣ୍ଟ ପ୍ରସ୍ତୁତ କରାଯିବ । ଫଳରେ ଆଗାମୀ ଦିନରେ ରତ୍ନଭଣ୍ଡାର ଗଣତି ସମୟରେ ଏହା ସହାୟକ ହେବ ।
ଏସଓପି ବାବଦରେ ଶ୍ରୀମନ୍ଦିର ପ୍ରଶାସନକୁ ସ୍ପଷ୍ଟ ଚିତ୍ର ଦିଆଯାଇଛି । ବିଶେଷ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାର ଭିତରକୁ ଯିବେ । କେଇଁ କାମ ପାଇଁ କେଉଁ ଟିମ୍ ଯିବ ଧାର୍ଯ୍ୟ ହୋଇଛି । ସେହି ଆଧାରରେ ସେମାନଙ୍କୁ ଏସଓପି ପ୍ରଦାନ କରାଯାଇଛି । ସବୁ ଦିଗକୁ ବିଚାର କରାଯାଇ ରତ୍ନଭଣ୍ଡାର ଖୋଲିଯାଉଛି । ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ ଯେପରି ପ୍ରଭାବିତ ନହେବକୁ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି ଆଇନମନ୍ତ୍ରୀ କହିଛନ୍ତି ।