କ୍ବାର୍ଟର୍ସ, କ୍ଯାବିନ ଓ ନାଲିବତୀ ଗାଡ଼ି ମାଗିବା IAS ପୂଜା ଖେଡକରଙ୍କୁ ପଡ଼ିଲା ମହଙ୍ଗା

1 min read

ପୁଣେ: ନୂଆ ନୂଆ ଚାକିରି କରିବାର ରୁବାବ୍ । ପଦବୀରେ ଯୋଗ ଦେବା ପୂର୍ବରୁ ଆଇଏଏସ୍ ଅଫିସରଙ୍କ ଡିମାଣ୍ଡକୁ ନେଇ ଚର୍ଚ୍ଚା । ପ୍ରୋବେସନରେ ଥିବା ବେଳେ ସେହି ରୁବାବ୍ ଏବେ ସଂପୃକ୍ତ ଅଧିକାରୀଙ୍କୁ ପଡ଼ିଛି ମହଙ୍ଗା । ଚାକିରିରେ ଯୋଗ ଦେବା ପୂର୍ବରୁ ହୋଇଛି ବଦଳି । ମହାରାଷ୍ଟ୍ର ସରକାର କରିଛନ୍ତି ଏହି ବଦଳି । ଆଉ ଏହି ଆଇଏଏସ୍  ଅଫିସର ଜଣଙ୍କ ହେଲେ ପୂଜା ଖେଡକର ।

ପୂଜା ୨୦୨୩ ବ୍ଯାଚର ଆଇଏଏସ୍ । ମହାରାଷ୍ଟ୍ର ପୁଣେ ଜିଲ୍ଲପାଳଙ୍କ ଅଫିସରେ ତାଙ୍କୁ ସହକାରୀ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା । କିନ୍ତୁ ଚାକିରିରେ ଯୋଗ ଦେବା ପୂର୍ବରୁ ଅଫିସର ଭାବେ ଯେଉଁ ସବୁ ଡିମାଣ୍ଡ ସେ କରିଛନ୍ତି, ତାହା ପୂଜାଙ୍କୁ ମହଙ୍ଗା ପଡ଼ିଛି ।

ଚାକିରିରେ ଯୋଗ ଦେବା ପୂର୍ବରୁ ଜିଲ୍ଲାପାଳଙ୍କ ଅଫିସର ଜଣକୁ ସେ ହ୍ଵାଟସ୍ ଅପ୍ ଚାଟରେ ଜଣାଇଥିଲେ- ତାଙ୍କର ଏକ କ୍ଯାବିନ୍ ଦରକାର । ନାଲି ବତୀ ସହିତ କାର୍ ଦରକାର । ଏପରିକି କ୍ବାର୍ଟର୍ସ କଥା ବି ସେ ପଚାରିଥିଲେ । କିନ୍ତୁ ପ୍ରୋବେସନରେ ଥିବା ଆଇଏଏସଙ୍କୁ ବା ସହକାରୀ ଜିଲ୍ଲାପାଳଙ୍କୁ ସରକାରଙ୍କ ତରଫରୁ ଏହି ସବୁ ସୁବିଧା ମିଳେ ନାହିଁ । ତଥାପି ଜିଲ୍ଲାପାଳଙ୍କ ଅଫିସର ଜଣେ କର୍ମଚାରୀଙ୍କୁ ଏସବୁର ବ୍ୟବସ୍ଥା କରିବାକୁ ସେ ଏକ ପ୍ରକାର ଚାପ ପକାଇଥିଲେ ବୋଲି ଅଭିଯୋଗ ହୋଇଛି । ଏପରିକି ଜିଲ୍ଲାପାଳଙ୍କ ସହିତ କଥା ହେବେ ବୋଲି ମଧ୍ୟ ପୂଜା କହିଥିଲେ । ଏପରିକି ନିଜର ପ୍ରାଇଭେଟ ଅଡ଼ି ଗାଡ଼ିରେ ବି ନାଲିବତୀ ଲଗାଇ ଦେଇଥିଲେ । ଏ ସଂପର୍କରେ ପୁଣେ ଜିଲ୍ଲାପାଳ ମହାରାଷ୍ଟ୍ର ମୁଖ୍ଯ ଶାସନ ସଚିବଙ୍କୁ ଜଣାଇବା ପରେ ପୂଜାଙ୍କୁ ବଦଳି କରାଯାଇଛି ।

ଏବେ ପୁଣି ଅଭିଯୋଗ ଆସିଲାଣି ଯେ, ଓବିସି ସାର୍ଟିଫିକେଟ ଓ ଦିବ୍ଯାଙ୍ଗ ସାର୍ଟିଫିକେଟରେ ସେ ଜାଲିଆତି କରିଛନ୍ତି । ଏହାକୁ ନେଇ ଅଧିକ ଅଡୁଆରେ ପଡ଼ିପାରନ୍ତି ଆସିଷ୍ଟାଣ୍ଟ କଲେକ୍ଟର ପୂଜା ଖେଡକର । ଜାତୀୟ ଗଣମାଧ୍ଯମର ରିପୋର୍ଟ ଅନୁସାରେ ପୂଜା ୧୭ ଲକ୍ଷ ଟଙ୍କାର ହାତଘଣ୍ଟା ପିନ୍ଧୁଥିବା ବେଳେ ୧୭ କୋଟି ଟଙ୍କାର ସଂପତ୍ତି ବି ଅଛି । ଏହି ରିପୋର୍ଟ ଅନୁସାରେ ପୂଜାଙ୍କର ୧୧୦ ଏକର ଚାଷ ଜମି, ୬ଟି ପ୍ଲଟ, ୭ଟି ଫ୍ଲାଟ, ୯୦୦ ଗ୍ରାମ ସୁନା ଓ ହୀରା ଅଳଙ୍କାର, ୪ଟି ଦାମୀ କାର୍‌ ଓ ୨ଟି କମ୍ପାନୀରେ ସେୟାର ରହିଛି । ତାଙ୍କ ବାପା ଦିଲୀପ ଖେଡକର ୨୦୨୪ ଲୋକସଭା ନିର୍ବାଚନ ଲଢ଼ିଥିଲେ ।

ତାଙ୍କର ସତ୍ଯପାଠ ଅନୁସାରେ ଦିଲୀପଙ୍କ ୪୦ କୋଟିର ସଂପତ୍ତି ଅଛି । ଏହା ପରେ ପୂଜା କେମିତି ଓବିସି ଭାବେ ସଂରକ୍ଷଣର ସୁବିଧା ନେଲେ, ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

କିଏ ଏହି ପୂଜା ଖେଡକର ?

ଚାକିରିରେ ଯୋଗ ଦେବା ପୂର୍ବରୁ ଦେଶରେ ଚର୍ଚ୍ଚାରେ ଥିବା ପୂଜା ଖେଡକର କିଏ ଆସନ୍ତୁ ଜାଣିବା । ପୂଜା ଖେଡକର । ପୁଣେରେ ପ୍ରୋବେସନାରୀ ଭାବେ ନିଯୁକ୍ତି ପାଇଛନ୍ତି । ୯ ଜୁଲାଇରେ ପୂଜାଙ୍କୁ ପୁଣେରୁ ୱାଶିମକୁ ହୋଇଥିଲା ବଦଳି । ଜଣେ ସିଭିଲ ସର୍ଭାଣ୍ଟ ଭାବେ ପଦବୀର କରିଥିଲେ ଅପବ୍ଯବହାର । ଆସନ୍ତା ୨୦୨୫ ଜୁଲାଇ ୩୦ ଯାଏଁ ୱାଶିମରେ ପୂଜା ସାରିବେ ପ୍ରୋବେସନ । ପୂଜା ଖେଡକର ୨୦୨୩ ବ୍ଯାଚ ମହାରାଷ୍ଟ୍ର କ୍ଯାଡରର ଆଇଏଏସ ଅଫିସର । ୟୁପିଏସସି ପରୀକ୍ଷାରେ ସେ ହାସଲ କରିଥିଲା ଏଆଇଆର ୮୪୧ । ଭିଆଇପି ନମ୍ବର ପ୍ଲେଟ ଥିବା ଅଡି କାର୍ କରୁଥିଲେ ବ୍ଯବହାର । ଗାଡିରରେ ଲଗାଇ ଥିଲେ ନାଲି ଓ ନୀଳ ବତି । ପ୍ରୋବେସନ ଅଫିସରଙ୍କୁ କୌଣସି ସୁବିଧା ଦିଆଯାଉ ନଥିବା କରିଥିଲେ ଅଭିଯୋଗ । ଏକ ସ୍ବତନ୍ତ୍ର କ୍ଯାବିନ ଯୋଗାଇ ଦେବାକୁ କରୁଥିଲେ ଦାବି । ସ୍ବତନ୍ତ୍ର କ୍ଯାବିନ ନେଇ ପୁଣେ ଜିଲ୍ଲାପାଳ ସୁହାସ ଦିବସେ ରିପୋର୍ଟ ଦେଇଥିଲେ । ସେ ଗତ ଜୁନ ୩ ତାରିଖରୁ କାର, କ୍ଯାବିନ, କ୍ବାର୍ଟର୍ସ ଲାଗି କରି ଆସୁଥିଲେ ଦାବି । ଏପରିକି ପୁଣେ କଲେକ୍ଟରେଟରେ ବରିଷ୍ଠ ଅଧିକାରୀଙ୍କ ନେମପ୍ଲେଟ ହଟାଇ ଦେଇଥିଲେ । ଓବିସି ଓ ଭିନ୍ନକ୍ଷମ ପ୍ରମାଣପତ୍ର ଜାଲିଆତି କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏପ୍ରିଲ ୨୦୨୨ରେ ପୂଜାଙ୍କୁ ଦିଲ୍ଲୀ ଏମସରେ ରିପୋର୍ଟ କରିବାକୁ କୁହାଯାଇଥିଲା । କୋଭିଡ କାରଣ ଦର୍ଶାଇ ଏମସ ଯାଇ ନଥିଲେ ପୂଜା ।