ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ବଡ଼ ଠାକୁର ମୁହଁମାଡ଼ି ପଡ଼ିବା ଘଟଣାରେ ମନ୍ତ୍ରୀଙ୍କ ହାଲୁକା ମନ୍ତବ୍ୟ ଦୁଃଖଦାୟକ

ଭୁବନେଶ୍ବର: ବଡ଼ ଠାକୁର ବଳଭଦ୍ର ଆଡ଼ପ ପହଣ୍ଡି ବେଳେ ମୁହଁମାଡ଼ି ପଡ଼ିଯିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏତେ ବଡ଼ ଅଘଟଣକୁ କିଛି ମନ୍ତ୍ରୀ ଯେମିତି ହାଲୁକା ଭାବେ ନେଇ ମନ୍ତବ୍ଯ ଦେଇଥିଲେ, ତାହା ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଥିବା କହିଛନ୍ତି ନବୀନ ।

ଚିଠିରେ ସେ ଉଲ୍ଲେଖ କରିଛନ୍ତି,  ମନ୍ତ୍ରୀଙ୍କ ଏଭଳି ମନ୍ତବ୍ଯ ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ସରକାରଙ୍କ ଏଭଳି ଆଭିମୁଖ୍ଯ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତ କରିପାରିନାହିଁ । ଆପଣ (ମୁଖ୍ୟମନ୍ତ୍ରୀ) ନିଜେ ଦାଯିତ୍ଵ ନିଅନ୍ତୁ । ଭବିଷ୍ଯତରେ ଏପରି ଘଟଣାର ପୁନରାବୃତ୍ତି ଯେମିତି ନହେବ । ଦୃଷ୍ଚାନ୍ତମୂଳକ ପଦକ୍ଷେପ ନେଇ କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଆପଣ ଆଶ୍ଵସ୍ତ କରିବେ ବୋଲି ଆଶା ରହିଥିବା ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

ବଡ଼ ଠାକୁର ମୁହଁମାଡ଼ି ପଡ଼ିଯିବା ଘଟଣାକୁ ନେଇ ଚିଠିରେ ଚିନ୍ତା ପ୍ରକଟ କରିଛନ୍ତି ନବୀନ । କହିଛନ୍ତି, ହଜାର ହଜାର ବର୍ଷର ପରମ୍ପରାରେ ଏମିତି ଅଘଟଣ କେବେ ଘଟି ନଥିଲା । ଓଡିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ ମହାପ୍ରଭୁ । ପହଣ୍ଡି ବେଳର ଅଘଟଣ ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବେ ବ୍ୟଥିତ କରିଛି । ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ । ମହାପ୍ରଭୁଙ୍କ ପହଣ୍ଡି ବେଳେ ଅଘଟଣ ଅଶୃତପୂର୍ବ । ବଡ ଠାକୁର ମୁହଁମାଡ଼ି ପଡିଯିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ।

ଚିଠିରେ ସେ ଉଲ୍ଲେଖ କରିଛନ୍ତି, ରଥଯାତ୍ରାର ହଜାର ହଜାର ବର୍ଷ ପରମ୍ପରାରେ ଏଭଳି ଘଟଣା କେବେ ଘଟି ନଥିଲା । ଆଖିରେ ଦେଖ୍ ମଧ୍ୟ ଏଭଳି ଅଘଟଣକୁ ବିଶ୍ବାସ କରି ହେଲା ନାହିଁ । ରାଜ୍ୟ ମନ୍ତ୍ରୀମଣ୍ଡଳର କିଛି ସଦସ୍ୟ ଏତେ ବଡ଼ ଘଟଣାକୁ ନେଇ ହାଲୁକା ମନ୍ତବ୍ଯ ଦେଲେ । ମନ୍ତ୍ରୀଙ୍କ ହାଲୁକା ମନ୍ତବ୍ଯ ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ଵିଗୁଣିତ କରିଛି । ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି ମନ୍ତ୍ରୀଙ୍କ ମନ୍ତବ୍ଯ । ଆପଣ ନିଜେ ଏହାର ଦାୟିତ୍ବ ନିଅନ୍ତୁ, ଅଘଟଣର ପୁନରାବୃତ୍ତି ନଘଟିବାକୁ ସୁନିଶ୍ଚିତ କରିବା ଆପଣଙ୍କ ଦାୟିତ୍ବ ।