spot_img

Latest Posts

ପରିଶ୍ରମ ଅନୁସାର ମିଳୁନି ପାରିଶ୍ରମିକ, ସପୁରୀ ଚାଷୀ ମାଗୁଛି ପାରିଶ୍ରମିକ

ରାୟଗଡା: ପରିଶ୍ରମ ଅନୁସାର ମିଳୁନି ପାରିଶ୍ରମିକ। ଦୁର୍ଗମ ପାହାଡିଆ ଅଞ୍ଚଳର ଆଦିବାସୀ ସଂପ୍ରଦାୟ ଲୋକ ନିଜର ଜୀବନ ଜୀବିକା ପାଇଁ ଜଙ୍ଗଲଜାତ ଦ୍ରବ୍ଯ ଉପରେ ନିର୍ଭର କରି ଏବେ ଚିନ୍ତାରେ। ସପୁରୀ ଚାଷ କରି ରାୟଗଡା ଜିଲ୍ଲା ଲାଞ୍ଜିଆ ସୌରା ସଂପ୍ରଦାୟର ଆଦିବାସୀ ହତାଶ ।

ରାୟଗଡା ଜିଲ୍ଲାରେ ୧୯ଟି ପଞ୍ଚାୟତ ମଧ୍ଯରୁ ୭ ଗୋଟି ପଞ୍ଚାୟତରେ ଲାଞ୍ଜିଆ ସୌରା ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଜୀବନ ଜୀବିକା ନିର୍ବାହ ପାଇଁ ଡଙ୍ଗର, ପାହାଡ଼ ପର୍ବତ ଉପରେ ନିର୍ଭର କରିଥାନ୍ତି । ଏଠାକାର ଜଳବାୟୁ ସପୁରୀ ଉତ୍ପାଦନ ପାଇଁ ବେଶ ଅନୁକୂଳ ଥିବାରୁ ଏବେ ପ୍ରଚୁର ପରିମାଣରେ ସପୁରୀ ଉତ୍ପାଦନ ହେଉଛି । ହେଲେ ଉତ୍ପାଦିତ ସପୁରୀର ଅଭାବୀ ବିକ୍ରି ପାଇଁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ଚାଷୀ । ସପୁରୀ ଗୋଟାକୁ ୫ ଟଙ୍କାରୁ ୭ ଟଙ୍କା ଦରରେ ବିକ୍ରି ହେଉଛି । ବେପାରୀ ମାନେ ଚାଷୀଙ୍କ ଠାରୁ ଅତି କମ ଦରରେ ସପୁରୀ କିଣି ନେଇଯାଉଥିବା ନେଇ ଅଭିଯୋଗ ହେଉଛି । ଆଦିମ ଜନଜାତିଙ୍କ ଜୀବିକାର ବିକାଶ ପାଇଁ ପୁଟାସିଂ ଠାରେ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ଜୀବିକା ମିଶନ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଛି । ଚାଷୀଙ୍କୁ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି, ତଥାପି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଏଠାକାର ସପୁରୀ ଚାଷୀ ।

କାଜୁ, ତେନ୍ତୁଳି, ମହୁଲ, ଧୂଆଁପତ୍ର ଭଳି ଜଙ୍ଗଲଜାତ ଦ୍ରବ୍ୟ ପାଇଁ ସରକାରଙ୍କ ସ୍ଵତନ୍ତ୍ର ବ୍ଯବସ୍ଥା ଓ ନୀତି ରହିଛି । ଲାଞ୍ଜିଆସୈାରା ବିକାଶ ପାଇଁ ବହୁ ଯୋଜନା ରହିଛି । ହେଲେ ସପୁରୀ ପାଇଁ ସେଭଳି କିଛି ବ୍ଯବସ୍ଥା ଗ୍ରହଣ କରାଯାଇନାହିଁ । ତେବେ ସପୁରୀ ଚାଷକୁ ସରକାରୀ କଳରେ ପ୍ରାଧାନ୍ୟ ଦିଆଗଲେ ଲାଞ୍ଜିଆସୈାରା ମାନଙ୍କର ଆର୍ଥିକ ସ୍ଥିତି ସ୍ଵଚ୍ଛଳ ହୋଇପାରିବ ବୋଲି ଚାଷୀ କହିଛନ୍ତି ।

Latest Posts

Don't Miss