ବ୍ରିଟେନ ଜେଲରୁ ମୁକ୍ତ ୱିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜ

ଲଣ୍ଡନ: ୱିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜ ମୁକ୍ତ । ମୁକ୍ତି ଲାଗି ଆମେରିକା କୋର୍ଟ ନିକଟରେ ଦୋଷ ସ୍ବୀକାର କରିବାକୁ ପ୍ରତିଶ୍ରୁତି ଦେବା ପରେ ତାଙ୍କୁ ବ୍ରିଟେନ ଜେଲରୁ ମୁକ୍ତି ଦିଆଯାଇଛି । ସେ କୋର୍ଟ ନିକଟରେ ସାମରିକ ଗୁପ୍ତ ତଥ୍ଯ ପ୍ରଦାନ କରିବେ ବୋଲି କହିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଆମେରିକା ଅଧୀନସ୍ଥ ନର୍ଦର୍ଣ୍ଣ ମାରିଆନା ଆଇଲ୍ଯାଣ୍ଡର ଏକ କୋର୍ଟରେ ଆସେଞ୍ଜ ସମସ୍ତ ଗୁପ୍ତ ତଥ୍ଯ ଦାଖଲ କରିବେ ବୋଲି ଦସ୍ତାବିଜ ଦାଖଲ ପରେ ତାଙ୍କୁ ମୁକ୍ତି ଦିଆଯାଇଛି ।

ବୁଧବାର ସେ କୋର୍ଟରେ ହାଜର ହୋଇ ସମସ୍ତ ତଥ୍ଯ ଦାଖଲ କରିବେ । ତଥ୍ଯ ଚୋରି ମାମଲାରେ ସେ ବର୍ତ୍ତମାନ ସୁଦ୍ଧା ୫ ବର୍ଷ ବ୍ରିଟେନ କୋର୍ଟରେ ସଜା ଭୋଗିସାରିଥିବାବେଳେ ସେ ମୋଟ ୬୨ ମାସ ଦଣ୍ଡ ଭୋଗିବେ । ପରେ ସେ ନିଜ ଦେଶ ଅଷ୍ଟ୍ରେଲିଆ ଫେରିବେ ।

୨୦୧୦ରୁ ଆମେରିକାର ଅନେକ ଗୋପନ ତଥ୍ଯ ପ୍ରକାଶ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଆମେରିକା ମାମଲା ଦାୟର କରିଥିଲା । ସେହିପରି ୨୦୧୦ରେ ଆସେଞ୍ଜଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା ସୁଇଡେନ । ଇରାକ ଓ ଆଫଗାନିସ୍ତାନ ଯୁଦ୍ଧ ସମ୍ପର୍କରେ ଅନେକ ତଥ୍ଯ ପ୍ରକାଶ କରି ଆମେରିକାର ଜାତୀୟ ନିରାପତ୍ତାକୁ ବିପନ୍ନ କରିଥିବା ଅଭିଯୋଗରେ ଆସେଞ୍ଜ ଗିରଫ ହେବା ପରେ ସାରା ବିଶ୍ବରେ ଏହାର ପ୍ରତିବାଦ କରାଯାଇଥିଲା ଏବଂ ବାକ୍ ସ୍ବାଧୀନତା ଅଭିଯାନର ହିରୋ ପାଲଟି ଯାଇଥିଲେ ।

୨୦୧୯ରେ ୧୮ଟି ମାମଲାରେ ତାଙ୍କୁ ଆମେରିକାର ଏକ ଫେଡେରାଲ ଗ୍ରାଣ୍ଡ ଜୁରୀ ଦୋଷୀ ସାବ୍ଯସ୍ତ କରିଥିଲା । ଏପ୍ରିଲ ୨୦୧୯ରୁ ସେ ଲଣ୍ଡନର ବେଲମାର୍ସ ଜେଲରେ କାଳ କାଟୁଥିଲେ । ପୂର୍ବରୁ ସୁଇଡେନ ହାତରେ ପ୍ରତ୍ଯର୍ପଣ ନିଷ୍ପତ୍ତି ପ୍ରତିହତ କରିବା ଲାଗି ସେ ଇକୁଏଡରର ଲଣ୍ଡନ ଦୂତାବାସରେ ୭ ବର୍ଷ ରହିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଯେଉଁ ତଥ୍ଯକୁ ଆସେଞ୍ଜ ପ୍ରକାଶ କରିଥିଲେ ସେଥିରେ ଥିଲା ୨୦୦୭ର ଏକ ଭିଡିଓ । ସେଥିରେ ବାଗଦାଦରେ ଆମେରିକା ବାହିନୀର ଗୁଳିମାଡରେ କିପରି ରଏଟର୍ସର ୨ ସାମ୍ବାଦିକଙ୍କ ସମେତ କିଛି ନାଗରିକଙ୍କ ମୃତ୍ୟୁର ଦୃଶ୍ଯ ରହିଥିଲା ।

୧୯୧୭ ଗୁପ୍ତଚର ଆଇନ ଅନୁସାରେ ଆସେଞ୍ଜଙ୍କ ବିରୋଧରେ ମାମଲା ଦାୟର କରିଥିଲା ଆମେରିକା । ଜୁନ ୨୦୨୨ରେ ତାଙ୍କର ପ୍ରତ୍ଯର୍ପଣ ଲାଗି ବ୍ରିଟିଶ ସରକାର ଅନୁମତି ଦେଇଥିଲେ । ସେପଟେ ଆସେଞ୍ଜଙ୍କ ବିରୋଧରେ ଚାଲିଥିବା ମାମଲାକୁ ରଦ୍ଦ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ବିଭିନ୍ନ ମହଲରୁ ଜୋରଦାର ଚାପ ପଡୁଥିଲା । ଗତ ୨୦୨୪ ଫେବ୍ରୁଆରୀରେ ଆସେଞ୍ଜଙ୍କୁ ମୁକ୍ତି ଦେବା ଲାଗ ଆମେରିକା ନିକଟରେ ଅନୁରୋଧ କରିଥିଲେ ଅଷ୍ଟ୍ରେଲିଆ ସରକାର ।

୨୦୧୦ରୁ ୨୦୧୧ ମଧ୍ଯରେ ଆମେରିକାର ସାମରିକ ତଥ୍ଯ, ଯୁଦ୍ଧ ସମ୍ପର୍କିତ ତଥ୍ଯ ଓ କୂଟନୈତିକ ବିବରଣୀକୁ ପ୍ରକାଶ କରିଥିଲେ ଆସେଞ୍ଜ । ବାଗଦାଦରେ ହୋଇଥିବା ଏୟାରଷ୍ଟ୍ରାଇକର ଏକ ଫୁଟେଜ ପ୍ରକାଶ ପାଇବା ପରେ ଆମେରିକାର ପ୍ରତିରକ୍ଷା ଇତିହାସରେ ଚହଳ ସୃଷ୍ଟି ହୋଇଥିଲା ।