ବିଷ ପାଲଟୁଛି ସହରର ବାୟୁ: ପେଟ୍ରୋଲ, ଡିଜେଲ ଗାଡ଼ି ବନ୍ଦ ନହେଲେ ୨୦୩୦ ବେଳକୁ ସ୍ଥିତି ଅସମ୍ଭାଳ

1 min read

ଭୁବନେଶ୍ବର: ସାଂଘାତିକ ହେଲାଣି ବାୟୁ ପ୍ରଦୂଷଣ । ବିଶ୍ବ ପ୍ରଦୂଷଣ ତାଲିକାରେ ଦେଶର ୪୨ ସହର । ୨୦୩୦ ସୁଦ୍ଧା ସବୁ ସହରରେ ଇ-ଯାନ ବ୍ୟବହାର ନହେଲେ ଆଉ ବଞ୍ଚିହେବନି । ଏପରି ଉଦବେଗ ପ୍ରକାଶ କରିଛନ୍ତି ଜି-୨୦ ଶିଖର ସମ୍ମିଳନୀ ସେରପା ଅମିତାଭ କାନ୍ତ । ପିଏମ୍‌-୧.୦ ଓ ପିଏମ୍‌-୨.୫ ଧୂଳିକଣା ଫୁସଫୁସ ନଷ୍ଟ କରୁଥିବା ମତ ଦେଉଛନ୍ତି ପରିବେଶବିତ । ୧୦ରୁ ୧୨ ବର୍ଷ କମୁଛି ଆୟୁଷ । ସୁଲଭ ଦରରେ ସବୁ ଲୋକ ଯେପରି ଇ-ଯାନ କିଣି ପାରିବେ ସେଥିପାଇଁ ସରକାର ସ୍ବତନ୍ତ୍ର ରିହାତି ନୀତି ଘୋଷଣା କରିବାକୁ ଦାବି ଉଠିଛି ।

ଦୂଷିତ ହେଲାଣି ସହରର ବାୟୁ । ୨୦୩୦ ସୁଦ୍ଧା ହଟାଅ ପେଟ୍ରୋଲ-ଡିଜେଲ ଇଞ୍ଜିନ ଚାଳିତ ଗାଡ଼ି । ସବୁ ସହରରେ ବ୍ୟବହାର ହେଉ ଇ-ଯାନ, ନ ହେଲେ ଭୟାଭୟ ହେବ ସ୍ଥିତି । ଅଭାବ ପଡ଼ିବ ଅମ୍ଲଜାନ । ଏପରି ସତର୍କବାଣୀ ଶୁଣାଇଛନ୍ତି ପୂର୍ବତନ ନୀତି ଆୟୋଗ ସିଇଓ ତଥା ଜି-୨୦ ସେରପା ଅମିତାଭ କାନ୍ତ । ଭାରତ ସରକାରଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ଯେତେ ଶୀଘ୍ର ସମ୍ଭବ ଦେଶର ସହରାଞ୍ଚଳରୁ ପାରମ୍ପରିକ ଇନ୍ଧନ ଚାଳିତ ଗାଡ଼ି ହଟିବା ଦରକାର । ଦେଶର ୪୨ଟି ସହରରେ ବାୟୁର ମାନ ଖରାପରୁ ଅତି ଖରାପ ସ୍ଥିତିକୁ ଗଲାଣି । ଜୈବିକ ଇନ୍ଧନ ଚାଳିତ ଗାଡ଼ି ବ୍ୟବହାର ଦ୍ବାରା କାର୍ବନ, ଲିଡ୍‌ ଓ ଧୂଳିକଣା ସହରାଞ୍ଚଳ ଲୋକଙ୍କ ଫୁସଫୁସ୍‌ ନଷ୍ଟ କରିବାରେ ଲାଗିଛି । ଇ-ଯାନ କିଣିବାକୁ ଲୋକଙ୍କ ଆଗ୍ରହ ରହିଛି । କିନ୍ତୁ ଦାମ ଅଧିକ ଥିବାରୁ ସବୁ ଲୋକ କିଣିପାରୁନାହାନ୍ତି । ସମସ୍ତେ ଯେପରି ଦୁଇ ଚକିଆଠାରୁ ତିନି ଚକିଆ ଓ ଚାରି ଚକିଆ ଇ-ଯାନ କିଣି ପାରିବେ ସେ ନେଇ ସ୍ବତନ୍ତ୍ର ରିହାତି ନୀତି ଆଣିବାକୁ କହିଛନ୍ତି ପରିବେଶବିତ ।

ସୁଇଜରଲ୍ୟାଣ୍ଡର IQ AIR ସଂସ୍ଥା ଭାରତର ବାୟୁ ପ୍ରଦୂଷଣ ନେଇ ସତର୍କ କରିସାରିଛି । ଅଧିକ ଗାଡ଼ି ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ଲୋକଙ୍କ ଆୟୁଷ ୧୦ରୁ ୧୨ ବର୍ଷ କମୁଛି । ହିଟ୍‌ ଆଇଲାଣ୍ଡ ଇଫେକ୍ଟ ଯୋଗୁଁ ସହରାଞ୍ଚଳ ତାପମାତ୍ରା ବୃଦ୍ଧି ପାଉଛି । ସହରାଞ୍ଚଳରେ ଜଳ ଉତ୍ସଗୁଡ଼ିକ ପୋତି ହେବାରୁ ଗ୍ରୀନ ହାଉସ ଉପରେ ଅଧିକ ପ୍ରଭାବ ପଡୁଛି । ଆଧୁନିକରଣ ଓ ସୌନ୍ଦର୍ଯ୍ୟକରଣ ନାଁରେ ବଡ଼ ବଡ଼ ଗଛ କଟାଯାଉଛି । କୋଠାବାଡ଼ି ନିର୍ମାଣ ବା ପୁରୁଣା କୋଠା ମରାମତି ବେଳେ ଉଡୁଥିବା ବର୍ଜ୍ୟ ଓ ଧୂଳିକଣା ବାୟୁ ପ୍ରଦୂଷଣକୁ ଆହୁରି ଦୁଇଗୁଣ ବଢାଉଛି । ଏହାସହ ଗାଡ଼ିରୁ ନିର୍ଗତ କର୍ବାନ ନମୋକସାଇଡ ଗ୍ୟାସ୍‌ ପୂରା ବାୟୁମଣ୍ଡଳକୁ ବିଷାକ୍ତ କରି ଚାଲିଛି ।

ଇ-ଯାନର ବ୍ୟବହାର ବଢାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଯୋଜନା ରହିଛି । ତଥାପି ବଜାରରେ ଇ-ଯାନ ସମସ୍ତେ କିଣି ପାରିନାହାନ୍ତି । ଦାମ କମ କରିବା ସହ ସରକାରଙ୍କ ପକ୍ଷରୁ ଗ୍ରାହକଙ୍କୁ ଆକୃଷ୍ଟ କଲା ଭଳି ଯୋଜନା କରିବାକୁ ଦାବି ଉଠୁଛି ।