ସପ୍ତାହକ ମଧ୍ୟରେ ଅଢ଼େଇ କୋଟି ଗଛ ଲଗାଇବେ ମିଶନ ଶକ୍ତି ମାଆ

ଭୁବନେଶ୍ବର: ରାଜ୍ଯରେ ସପ୍ତାହକ ଭିତରେ ଅଢେଇ କୋଟି ଗଛ ଲଗାଇବେ ମିଶନ ଶକ୍ତି ମାଆ । ୭୦ ଲକ୍ଷ ମହିଳାଙ୍କୁ ଗଛ ଲଗାଇବା ଦାୟିତ୍ବ ପ୍ରଦାନ କରିବା ସହ ରାଜ୍ଯ ଆରମ୍ଭ ହୋଇଛି ମାଆଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ । ମିଶନ ଶକ୍ତି ଭବନ ପରିସରରେ ବୃକ୍ଷରୋପଣ କରି ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶୁଭାରମ୍ଭ କରିଛନ୍ତି । ଏହାସହ ନିଜ ମାଆଙ୍କ ଉଦ୍ଦେଶ୍ଯରେ ଗଛଟିଏ ଲଗାଇବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ଏହାସହ ଗଛଲଗା କାର୍ଯ୍ୟକ୍ରମର ଫଟୋକୁ ପ୍ରଧାନମନ୍ତ୍ରୀଙ୍କୁ ପାଖକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଛି । ଗାଁ, ବ୍ଲକ, ଜିଲ୍ଲାସ୍ତରରେ ଥିବା ମିଶନ ଶକ୍ତି କାର୍ଯ୍ୟାଳୟ ଓ ମିଶନ ଶକ୍ତି କାଫେରେ ଗଛ ଲଗାଇବାକୁ ସ୍ଥିର କରାଯାଇଛି ।

ମିଶନ ଶକ୍ତି ଜରିଆରେ ୫ କୋଟି ଗଛ ଲଗାଇବାକୁ ରଖାଯାଇଛି ଟାର୍ଗେଟ । ସପ୍ତାହକ ମଧ୍ୟରେ ଲାଗିବ ଅଢେଇ କୋଟି । ରାଜ୍ୟର ୭୦ ଲକ୍ଷ ମହିଳା କରିବେ ବୃକ୍ଷରୋପଣ । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ‘ମାଆଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମିଶନ ଶକ୍ତି ଭବନ ପରିସରରେ ନିଜ ମାଆଙ୍କ ଉଦ୍ଦେଶ୍ୟରେ ଗୋଟିଏ ବଉଳ ଗଛ ଲଗାଇବା ସହ ରାଜ୍ୟର ମିଶନ ଶକ୍ତି ମାଆଙ୍କୁ ଗଛ ଲଗାଇବାକୁ ଆହ୍ବାନ ଦେଇଛନ୍ତି । ଏଥିପାଇଁ ଉଦ୍ୟାନ ବିଭାଗ, କୃଷି ବିଭାଗ, ଜଙ୍ଗଲ ବିଭାଗ ଗଛ ଯୋଗାଇ ଦେବେ । ଏହାସହ ନିଜ ପାଖରେ ଥିବା ପର୍ଯ୍ୟଟନ, ମିଶନ ଶକ୍ତି ଓ ମହିଳା ଶିଶୁ ବିକାଶ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ଯମନ୍ତ୍ରୀ ।

ମିଶନ ଶକ୍ତିର ମାଆମାନେ ବାଡ଼ି କିମ୍ବା ରାସ୍ତା କଡ଼ରେ ଗୋଟିଏ ଲେଖାଏଁ ଗଛ ଲଗାଇବେ । ନିଜ ମାଆଙ୍କ ନାଁରେ ଗଛ ଲଗାଇଲେ ଗଛ ପ୍ରତି ଅଧିକ ଆଦର ଓ ମମତା ବଢିବ । ପୃଥିବୀ ଆମ ମାଆ ଏବଂ ତାର ସୁରକ୍ଷା ପାଇଁ ଅର୍ଥାତ ପରିବେଶର ସୁରକ୍ଷା ପାଇଁ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ଯତ୍ନ ନେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଜିଲ୍ଲା, ବ୍ଲକ ଓ ପଞ୍ଚାୟତସ୍ତରୀୟ ମହାସଂଘର ମାଆମାନେ ବିଭାଗୀୟ ମନ୍ତ୍ରୀଙ୍କ କଥାରେ ସମ୍ମତି ଜଣାଇ ଏହାକୁ ଆହ୍ବାନ ଭାବେ ଗ୍ରହଣ କରିଛନ୍ତି ।

ଜୁନ୍ ୫ ବିଶ୍ବ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଗଛ ଲଗାଇ ‘ଏକ ପେଡ୍ ମାଆ କେ ନାମ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ବିଭିନ୍ନ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଜାରି ରହିଛି ।