ପିସିସି ସଭାପତିଙ୍କ ଶରତ ପଟ୍ଟନାୟକଙ୍କ ଉପରେ କାଳିମାଡ

ଭୁବନେଶ୍ୱର : ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ କାଳିମାଡ଼। ଶୁକ୍ରବାର କଂଗ୍ରେସ ଭବନରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଫିଲ୍ମ ଷ୍ଟାଇଲରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ସମୟ ପାଖାପାଖି ୧୧.୨୦ରେ କଂଗ୍ରେସ ଭବନରେ ଉପର ମହଲା କୋଠରୀରେ ବସିଥାନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ହଠାତ ୨୦ରୁ ଅଧିକ ଯୁବକ ଶରତ ପଟ୍ଟନାୟକ ହାଏ ହାଏ ସ୍ଲୋଗାନ ଦେଇ ପିସିସି ସଭାପତିଙ୍କ ରୁମ ଭିତରେ ପଶି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ହାତ ମିଳାଇଲେ। ପକେଟରୁ କାଳି ବାହାର କରି କାଳି ମାଡ଼ କରିଥିଲେ। କାଳି ମାଡରେ ପିସିସି ସଭାପତି ଗାଧେଇ ପଡିଲା ଭଳି ଦେଖା ଯାଉଥିଲେ। ଉକ୍ତ ଯୁବକ ମାନେ କାଳି ମାଡ଼ କଲା ପରେ ତତକ୍ଷଣାତ ସେଠାରୁ ଫେରିଗଲେ। କାଳିମାଡ ପରେ ପିସିସି ସଭାପତି ଏଥିରେ ବ୍ଯଥିତ ନଥିବା କହିଥିଲେ। ରାଜନୀତି ଜୀବନରେ କେତେବେଳେ ଫୁଲମାଳ ମିଳେ ତ କେତେବେଳେ ଚପଲ ଫିଙ୍ଗାଯାଏ। ଏଥିରେ ବ୍ଯଥିତ ହେବାର ଆବଶ୍ଯକତା ନାହିଁ ବୋଲି କହିିଥିଲେ ଶରତ ପଟ୍ଟନାୟକ।

କାଳି ମାଡର କାରଣ ଅସ୍ପଷ୍ଟ ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି ସେ ଯୁବକ ମାନେ କିଏ ? ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଟକ ଜିଲ୍ଲା ସଭାପତି ସୁରେଶ ମହାପାତ୍ର ,ପୂର୍ବତନ ବିଧାୟକ ରବି ମାଲିକ ଉପରେ ମଧ୍ୟ କାଳି ମାଡ଼ ହୋଇଛି। ଯେହେତୁ ସେମାନେ ପିସିସି ସଭାପତିଙ୍କ ପ୍ରକୋଷ୍ଠ ରେ ଥିଲେ ସେମାନଙ୍କ ଉପରେ କାଳି ପଡିଛି। ସୂଚନାଥାଉ କି, କିଛି ଦିନ ହେବ ଦଳ ଭିତରେ ଟିକେଟ ଆବଣ୍ଟନ ଏବଂ ନିର୍ବାଚନ ପାଣ୍ଠିରେ ଅନିୟମିତତାକୁ ନେଇ ଚର୍ଚ୍ଚା ଜୋର ଧରିଛି।