ଜମ୍ମୁ- କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, ଖୁବ୍ ଶୀଘ୍ର ହେବ ତାରିଖ ଘୋଷଣା

1 min read

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଜମ୍ମୁ- କାଶ୍ମୀରରେ ହେବ ନିର୍ବାଚନ । ତେବେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ଏହି ମାସରେ ହେବା ନେଇ ଆଶା କରାଯାଉଛି । ଲୋକସଭା ନିର୍ବାଚନ ପରେ କେନ୍ଦ୍ରଶାସିତ ଅଞ୍ଚଳରେ ଲୋକତନ୍ତ୍ର ଏବଂ ମତଦାନ ପ୍ରତି ସାଧାରଣ ଜନତାଙ୍କ ଉତ୍ସାହ ଦେଖି ନିର୍ବାଚନ ଆୟୋଗ ମଧ୍ୟ ଉତ୍ସାହିତ ଅଛନ୍ତି । ବିଧାନସଭା ନିର୍ବାଚନ ମଧ୍ୟ ଏହି ସକରାତ୍ମକ ମାହୋଲରେ ସମ୍ପନ୍ନ ହେବା ନେଇ ସେ ଆଶା ରଖିଛନ୍ତି । ସୂଚନା ଅନୁଯାୟୀ, ଅଗଷ୍ଟ ମାସ ଭିତରେ ଜମ୍ମୁ –କାଶ୍ମୀରରେ ବିଧାନସଭା ନିର୍ବାଚନ ସମାପ୍ତ ହୋଇପାରେ  ।

୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ- କାଶ୍ମୀରରେ ପ୍ରଥମ ନିର୍ବାଚନ ହୋଇଥିଲା  । ତେବେ ଚଳିତ ବର୍ଷ ଖୁବ୍ ଶୀଘ୍ର କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଜମ୍ମୁ- କାଶ୍ମୀରରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ନେଇ ଇସିଆଇ ପକ୍ଷରୁ କୁହାଯାଇଛି  । ତେବେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଶୁକ୍ରବାର ଇସି ରାଜନୈତିକ ଦଳ ମାନଙ୍କୁ ନିର୍ବାଚନୀ ଚିହ୍ନ ଚୟନ ସହ ଆବେଦନ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ଅର୍ଥାତ୍ ସମଗ୍ର ରାଜ୍ୟରେ ଏପରି ରାଜନୈତିକ ଦଳ ଯେଉଁମାନେ ଆୟୋଗରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ଆଞ୍ଚଳିକ ଦଳର ମାନ୍ୟତା ପାଇ ନାହାଁନ୍ତି, ସେମାନେ ମଧ୍ୟ ଏକ ନିର୍ବାଚନୀ ଚିହ୍ନରେ ପ୍ରାର୍ଥୀ ହୋଇ ପାରିବେ । କିନ୍ତୁ ସେମାନଙ୍କୁ ବିକଳ୍ପ ପ୍ରତୀକ ବା ଚିହ୍ନ ମଧ୍ୟରେ ନିଜ ପସନ୍ଦର ନିର୍ବାଚନୀ ପ୍ରତୀକ ବାଛିବାକୁ ପଡିବ ।