ପ୍ରତୀକ୍ଷାର ଅନ୍ତ: ମନ୍ତେଇ ନଦୀ ଉପରେ ହେଉଛି ପୋଲ, ଉପକୃତ ହେବେ ଲକ୍ଷାଧିକ ଲୋକ

ଭଦ୍ରକ: ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ । ପୂରଣ ହେଲା ଲୋକଙ୍କ ଦୀର୍ଘ ବର୍ଷର ଦାବି । ମନ୍ତେଇ ନଦୀ ଉପରେ ନିର୍ମାଣ ହେଉଛି ପୋଲ । ଉପକୃତ ହେବେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳର ଲକ୍ଷ ଲକ୍ଷ ଲୋକ । ଏଥିପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ ।

ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳର ମଝିରେ ଥିବା ମନ୍ତେଇ ନଦୀର ଚାରିବାଟିଆ ଘାଟରେ ସେତୁ ନିର୍ମାଣ ହେଉଛି । ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ । ଗମନାଗମନ ସୁଗମ ହେବ । ତିନି ଜିଲ୍ଲାକୁ ଫିଟିବ ରାସ୍ତା । ରାଜ୍ଯ ସରକାରଙ୍କ ପକ୍ଷରୁ ୫୮ କୋଟି ୭୨ ଲକ୍ଷ ଟଙ୍କା ଅଟକଳରେ ପୋଲ ନିର୍ମାଣ ହେଉଛି । ବେକେମ ଇମ୍ଫ୍ରା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ପୋଲ ନିର୍ମାଣ ଆରମ୍ଭ କରିଥିବା ବେଳେ ୨ ବର୍ଷରେ ଶେଷ କରିବାକୁ ଲକ୍ଷ୍ଯ ରଖାଯାଇଛି ।

ମନ୍ତେଇ ନଦୀର ଏପାଖରେ ବାସୁଦେବପୁର ଓ ସେ ପାଖରେ ଚାନ୍ଦବାଲି । ମନ୍ତେଇ ନଦୀର ଚାରବାଟିଆ ଓ ବାଲିଆପାଳ ଘାଟରେ ଡଙ୍ଗା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରନ୍ତି । ନଦୀପାର ହେବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼େ । ପୋଲ ନିର୍ମାଣ ଆରମ୍ଭ ହୋଇଥିବାରୁ ଲୋକଙ୍କ ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି ।