ବାହାନଗା ଟ୍ରେନ୍ ଟ୍ରାଜେଡି: କରମଣ୍ଡଳର କରୁଣ କାହାଣୀକୁ ପୂରିଲା ବର୍ଷେ

ନନ୍ଦିଘୋଷ ବ୍ୟୁରୋ ରିପୋର୍ଟ: ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ପୂରିଛି ବର୍ଷେ। ୨ ଜୁନ୍  ୨୦୨୩ ସନ୍ଧ୍ୟାରେ ଘଟିଥିଲା ଛାତିଥରା ଟ୍ରେନ୍ ଟ୍ରାଜେଡି। କେହି କିଛି ବୁଝିବା ଆଗରୁ କିଛି କ୍ଷଣ ମଧ୍ୟରେ ୩ଟି ଟ୍ରେନ୍ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୮୮ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସେହି କାଳ ରାତ୍ରିକୁ ପୂରିଛି ବର୍ଷେ। ହେଲେ ଆଜି ବି ଜୀବନ୍ତ ଅଛି ସେହି କାଳ ରାତ୍ରିର ଲୋମଟାଙ୍କୁରା ଦୃଶ୍ୟ।

ସୂଚନା ଅନୁଯାୟୀ, ଦକ୍ଷିଣପୂର୍ବ ରେଳବାଇର ଖଡ଼ଗପୁର ରେଳ ଡିଭିଜନ ଅନ୍ତର୍ଗତ ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ସନ୍ଧ୍ୟା ୬ଟା ୪୦ରେ ଘଟିଥିଲା ଦୁର୍ଘଟଣା। ୨ ନମ୍ବର ଟ୍ରାକରେ ଯାଉଥିବା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ ପ୍ରଥମେ ଉକ୍ତ ଟ୍ରାକରେ ଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଏହି ଧକ୍କାଟି ଏତେ ଭୟଙ୍କର ଥିଲା ଯେ ଅନ୍ୟ ଏକ ଟ୍ରାକରେ ଆସୁଥିବା ଯଶୋବନ୍ତପୁର ହାଓ୍ବଡା ଏକ୍ସପ୍ରେସ ଟ୍ରେନର ଶେଷ ଦୁଇଟି ବଗିରେ ବାଜିଥିଲା। ଯାହାକି ଦୀର୍ଘ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯାଇଥିଲା। ଫଳରେ ବଗି ଉପରେ ବଗି ଚଢ଼ିଯାଇଥିଲା। ଏପରିକି ରେଳ ଟ୍ରାକରୁ ବଗି ଛିଟିକି ଯାଇ ନୟନଯୋଡିକୁ ପଡ଼ିଥିବାବେଳେ ବହୁ ଯାତ୍ରୀ ସେଥିରେ ଚାପି ହୋଇ ରହିଯାଇଥିଲେ। ଏହି ଦୁର୍ଘଟଣାରେ ପାଖାପାଖି ୧୭ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କ ସମେତ ବହୁ ନେତା ମନ୍ତ୍ରୀ ଓ ରେଳ ବିଭାଗର ବରିଷ୍ଠ କର୍ମକର୍ତ୍ତା ପହଞ୍ଚିଥିଲେ। ଏନଡିଆରଏଫ, ଓଡ୍ରାଫ, ଓଡ଼ିଶା ପୋଲିସ ସମେତ ସ୍ଥାନୀୟ ଅଞ୍ଚଳର ଶହଶହ ସ୍ବେଚ୍ଛାସେବୀ ୨ ଦିନ ଧରି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ପ୍ରାୟ ୮୦ରୁ ଅଧିକ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ  ବାଲେଶ୍ବର, ଭଦ୍ରକ, ସୋର, କଟକ ବଡ଼ ଡାକ୍ତରଖାନା, ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଓ ଏମସରେ ଭର୍ତ୍ତି କରାଯାଇଥିଲା। ଆହତଙ୍କୁ ରକ୍ତ ଦେବା ପାଇଁ ବିଭିନ୍ନ ଡାକ୍ତରଖାନାରେ ସାଧାରଣ ଲୋକଙ୍କ ଧାଡ଼ି ଲାଗିଥିଲା।

ଏତେ ବଡ଼ ବିପର୍ଯ୍ୟୟ ସମୟରେ ଓଡ଼ିଆ ଲୋକମାନଙ୍କ ଏହି ମଣିଷପଣିଆ ସାରା ଦେଶ ପାଇଁ ଉଦାହରଣ ସାଜିଥିଲା। ରେଳ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୨ ମାସ ଧରି ଯାତାୟାତ ଠପ୍ ହୋଇଯାଇଥିଲା।