ଯେତେ ଲୁଚେଇଲେ ଲୁଚୁନି ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗିରି

ଖୋର୍ଦ୍ଧା : ଲୁଚିଛି ନା ଗୋଡ଼ ଦିଟା ଦିଶୁଛି । ଯେତେ ଲୁଚେଇଲେ ଲୁଚୁନି ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗିରି । ଅଧା ସିସିଟିଭି ଭିଡିଓ ଛାଡ଼ି ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ସୁରକ୍ଷା ଦେବାକୁ ଉଦ୍ଯମ କରୁଥିଲେ ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ହେଲେ ଆମେ ଦେଖାଉଛୁ ଜଗଦ୍ଦେବଙ୍କ ଗୁଣ୍ଡାଗିରିର ଲାଇଭ ଫୁଟେଜ୍ । ଦେଖନ୍ତୁ କିଭଳି ଗଲା ୨୫ ତାରିଖରେ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀର ୧୧୪ ନମ୍ବର ବୁଥରେ ଗୁଣ୍ଡାଗିରି ଚଳାଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଲୋକଙ୍କୁ ଧମକ ଦେବା ସହ ଯିଏ ତାଙ୍କୁ ବାଧା ଦେଉଛି ତାକୁ ଅଶାଳୀନ ଭାଷାରେ ଗାଳି ବି ଦେଉଛନ୍ତି । ଲୋକଙ୍କୁ ଠେଲାପେଲା କରି ପ୍ରିଜାଇଡିଂ ଅଫିସରଙ୍କୁ ଧମକ ଦେଉଛନ୍ତି । ସେଦିନ ଜଗଦ୍ଦେବ କିଭଳି ଗୁଣ୍ଡାଗିରି କରିଥିଲେ ଏହି ଭିଡିଓ ହେଉଛି ତାହାର ପ୍ରମାଣ । ଅଭିଯୋଗ ଅନୁସାରେ ୧୧୪ ନମ୍ବର ବୁଥକୁ ଭୋଟ ଦେବାକୁ ଯାଇଥିଲେ ପ୍ରଶାନ୍ତ । ଲୋକ ଧାଡ଼ିରେ ଠିଆ ହୋଇଥିବାବେଳେ ମନଇଚ୍ଛା ଆଗକୁ ଯାଇ ପ୍ରଥମେ ଭୋଟ ଦେବେ ବୋଲି କହିଥିଲେ । ହେଲେ ଭୋଟର ଏହାକୁ ବିରୋଧ କରିବାରୁ ନାଲିଆଖି ଦେଖାଇଥିଲେ ଜଗଦ୍ଦେବ । ଯିଏ ବିରୋଧ କଲା ତାକୁ ଠେଲାପେଲା କରି ଗାଳିଗୁଲଜ ବି କରିଥିଲେ । ଏପରିକି ପ୍ରିଜାଇଡିଂ ଅଫିସରଙ୍କୁ ବି ଧମକ ଦେଇଥିଲେ ।

ଶେଷରେ ଇଭିଏମ ଫୋପାଡ଼ିବା ଅଭିଯୋଗ ବି ହୋଇଛି । ଏହି ସମୟରେ ସେଠାରେ ଉପସ୍ଥିତ ଭୋଟର ହିଁ ଜଗଦ୍ଦେବଙ୍କ ଗୁଣ୍ଡାଗିରିକୁ ମୋବାଇଲରେ କଏଦ କରିଥିଲେ । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି । ବୁଥ ଭିତରେ ପଶି ପ୍ରିଜାଇଡିଂ ଅଫିସରଙ୍କୁ ଧମକାଇବା, ଇଭିଏମ ଫୋପାଡିବା, ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଆଦି ସଂଗୀନ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ପ୍ରଶାନ୍ତ । ଜଗଦ୍ଦେବଙ୍କ ବିରୋଧରେ ସବୁ ତଥ୍ଯପ୍ରମାଣ ଥିବା ସତ୍ତ୍ବେ ଗୁଣ୍ଡାଗର୍ଦ୍ଦିର ପୋଷ୍ଟରବୟକୁ କର୍ମବୀର ଆଖ୍ଯା ଦେଉଛି ବିଜେପି । ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏଭଳି ଗୁଣ୍ଡାଙ୍କ ପାଇଁ ଦରଦ ଦେଖାଉଛନ୍ତି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୁରକ୍ଷା ଦେବାକୁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ହୀନଉଦ୍ଯମ ଚଳାଇଛନ୍ତି । ସିସିଟିଭି ଭିଡିଓକୁ ଏଡିଟ କରି ଜଣେ ଗୁଣ୍ଡାଙ୍କୁ ସଂଗ୍ରାମୀ କହୁଛନ୍ତି । ହେଲେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶାନ୍ତଙ୍କ ଅସଲ ଚରିତ୍ର ସହ ଅପରାଜିତାଙ୍କ ମିଛ ଧରାପଡ଼ିଯାଇଛି ।