ଗୁଜରାଟ ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

1 min read

ରାଜକୋଟ: ଗୁଜରାଟ ରାଜକୋଟ ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧବଲ ଠକ୍କର ଗିରଫ ହୋଇଛି । ରାଜସ୍ଥାନର ଆବୁ ରୋଡ୍‌ରୁ ସୋମବାର ଦିନ ବନାସକାଣ୍ଠା ଲୋକାଲ କ୍ରାଇମ ବ୍ରାଞ୍ଚ ଓ ରାଜକୋଟ ପୋଲିସ ମିଳିତ ଉଦ୍ୟମରେ ଅଭିଯୁକ୍ତକୁ  ଗିରଫ କରିଛି।

ତେବେ ଏହି ଘଟଣାରେ ୬ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ପୂର୍ବରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ୧୪ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଯାଇଛି। ଗେମିଂ ଜୋନ୍ ମାଲିକଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିବାବେଳେ ଦୁଇଜଣ ଏବେ ବି ଫେରାର୍‌ ଅଛନ୍ତି ।

ତେବେ ସେମାନଙ୍କ ବିରୋଧରେ ଆଇପିସି ଧାରା ୩୦୪, ୩୦୮, ୩୩୭, ୩୩୮ ଏବଂ ୧୧୪ ଅଧିନରେ ମାମଲା ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହୁରି କିଛି ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସେପଟେ ଏହି ଘଟଣାରେ ଗୁଜରାଟ ସରକାର ୬ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ବଦଳି କରିଛନ୍ତି। ବଦଳି ହୋଇଥିବା ଅଫିସରଙ୍କ ମଧ୍ଯରେ ରହିଛନ୍ତି ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବ। ଏହି ଭୟାନକ ଘଟଣାରେ ରାଜ୍ଯ ସରକାରଙ୍କୁ ଗୁଜରାଟ ହାଇକୋର୍ଟ ଭର୍ତ୍ସନା କରିବା ପରେ ପରେ ଏହି ବଦଳି କରାଯାଇଛି।

ଗତ ଶନିବାର ଅର୍ଥାତ ମେ ୨୫ ତାରିଖରେ ରାଜକୋଟର ନାନା-ମାଭା ଅଞ୍ଚଳରେ ଥିବା ଟିଆରପି ଗେମ ଜୋନରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁ ଘଟଣାରେ ଏଯାବତ୍ ଅନେକ ଶିଶୁଙ୍କ ସମେତ ୨୭ ଜଣଙ୍କ ପ୍ରାଣ ଯାଇଛି।