୫ ବର୍ଷ ପରେ ବି ଟ୍ରେଣ୍ଡ କରୁଛି, ହେ ନବୀନ ବାବୁ, ଆମେ ତୁମ ଫ୍ୟାନ…

1 min read

କଟକ: ନିର୍ବାଚନ ପ୍ରଚାରରେ ବିଭିନ୍ନ ଦଳ ଭିନ୍ନ ଭିନ୍ନ ଗୀତ ବ୍ୟବହାର କରୁଛନ୍ତି । ଗୀତରେ ଦଳର ପ୍ରତିଶ୍ରୁତି ସହ ପ୍ରାର୍ଥୀଙ୍କ ସମ୍ପର୍କରେ ରହୁଛି ତଥ୍ୟ । ନୂଆ ନୂଆ ଗୀତକୁ ମାଧ୍ୟମ କରି ଭୋଟରଙ୍କ ମନ ଜିଣିବାକୁ ପ୍ରାର୍ଥୀ ଚେଷ୍ଟା କରୁଛନ୍ତି । ହେଲେ ଏହାରି ଭିତରେ ଗୋଟିଏ ଗୀତ ଟ୍ରେଣ୍ଡ କରୁଛି । ଗୀତଟି ୫ ବର୍ଷ ପୁରୁଣା ହୋଇଥିଲେ ବି ସମସ୍ତଙ୍କ ମୁହଁରେ ରହିଛି । ଆଉ ଗୀତଟି ହେଲା ହେ ନବୀନ ବାବୁ… । ସୋସିଆଲ ମିଡିଆରୁ ରାଲି ପର୍ଯ୍ୟନ୍ତ ସବୁ ଆଡେ ଶୁଣିବାକୁ ମିଳୁଛି ଏହି ଗୀତ । ନିର୍ବାଚନ ସମୟରେ ମୁଖ୍ଯମନ୍ତ୍ରୀଙ୍କ ବ୍ଯକ୍ତିତ୍ବକୁ ଏହା ଅଧିକ ସୁଟ୍ କରୁଥିବା କହିଛନ୍ତି ଲୋକେ ।

କୌଣସି କର୍ମୀ ସମ୍ମିଳନୀ ହେଉ କି ଶୋଭାଯାତ୍ରା । ଦଳୀୟ କାର୍ଯ୍ଯକ୍ରମ ହେଉ କି ନିର୍ବାଚନୀ ପ୍ରଚାର । ରାଜ୍ଯର ଉପାନ୍ତରୁ ଉପକୂଳ, ଗାଁଠୁ ସହର ସବୁଛି ଟ୍ରେଣ୍ଡ କରୁଛି ଗୋଟିଏ ଗୀତ, ହେ ନବୀନ ବାବୁ ଆମେ ତୁମ ଫ୍ଯାନ… । ୟୁଟ୍ଯୁବରେ ୨ କୋଟି ୩ ଲକ୍ଷ ଦର୍ଶକ ଏହି ଗୀତକୁ ଭଲ ପାଇବା ଦେଇଛନ୍ତି । ନିର୍ବାଚନ ସମୟ ଆସିଲେ ଅନେକ ଗୀତ ରଚନା ହେଉଛି ହେଲେ ଏହି ଗୀତ ସମସ୍ତଙ୍କ ହୃଦୟ ଜିତି ପାରିଛି ବୋଲି କହନ୍ତି ଗୀତିକାର ।

୨୦୧୯ ନିର୍ବାଚନ ପୂର୍ବରୁ ୟୁ-ଟ୍ୟୁବରେ ହେ ନବୀନ ବାବୁ… ଗୀତ ମୁକ୍ତିଲାଭ କରିଥିଲା । ବିଦୁଲତା ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଏହି ଗୀତରେ କଣ୍ଠଦାନ କରିଥିଲେ ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ବିରଜା ପ୍ରସାଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରମୋଦ ପରିଡା ଗୀତ ରଚନା କରିଥିଲେ । ଅମୀୟ ରଞ୍ଜନ ରାଉତ ଗୀତର ପରିକଳ୍ପନା କରିଥିଲେ । ମୁକ୍ତିଲାଭ କରିବାର କିଛି ଦିନ ଭିତରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଥିଲା । ନୂଆ ଓଡ଼ିଶାର ତୁମେ ହିଁ ନିର୍ମାତା, ତୁମ ପରିବାର ଏ ମାଟି ଜନତା, ବିଜୁ ବାବୁଙ୍କର ଅଧୁରା ସପନ, ତୁମରି ହାତରେ ହେଉଛି ପୂରଣ । ଏଭଳି ପନ୍ତି ଲୋକଙ୍କ ହୃଦୟକୁ ଛୁଇଁଥିଲା । ଗୀତରେ ପ୍ରାୟ ୧୯ ହଜାର ରିଲ୍ସ ଅପଲୋଡ୍ ହେଲାଣି ।

ମୁଖ୍ଯମନ୍ତ୍ରୀଙ୍କ ବ୍ଯକ୍ତିତ୍ବ,, ତାଙ୍କ ସରଳତା ଓ ତାଙ୍କ ଆଦର୍ଶ, କୌଣସି ଗୀତରେ ବାନ୍ଧି ରଖିବା ସମ୍ଭବ ନୁହେଁ । ତଥାପି ନିର୍ବାଚନ ସମୟ ଆସିଥିବାରୁ ସଙ୍ଗୀତ ନିର୍ଦ୍ଦେଶକ ବିରଜା ଓ ଗୀତିକାର ପ୍ରମୋଦଙ୍କ ଯୋଡ଼ି ଏଭଳି ପୁଣି ଏକ ହିଟ୍ ଗୀତ ତିଆରି କରିବାରେ ଲାଗି ପଡିଛନ୍ତି । ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ଏମଆରଆର ଷ୍ଟୁଡିଓରେ ଗୀତ ପ୍ରସ୍ତୁତି ଜାରି ରହିଛି । ଏଥର ଗୀତର ଶୀର୍ଷକ ରହିଛି ଖୁବଶୀଘ୍ର ଯୋଡ଼ି ଶଙ୍ଖ…  ।