ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମୋ-ସରକାର କାର୍ଯ୍ୟକ୍ରମରେ ଆଜି ସାମିଲ ହୋଇଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୧୯୯୯ ମହାବାତ୍ୟା ସମୟରେ ରିଲଫ ଯୋଗାଣ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି ଏବଂ ଓଡ଼ିଶା ଆଜି ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଶସ୍ୟ ଯୋଗାଣରେ ସାରା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି । ଏହାର ଶ୍ରେୟ ହେଉଛି ଆମର ଚାଷୀ ଭାଇମାନଙ୍କର । ସେହିପରି ଓଡ଼ିଶାକୁ ୫ ଥର କୃଷିକର୍ମଣ ପୁରସ୍କାର ମିଳିବାର ଶ୍ରେୟ ମଧ୍ୟ ଆମର ଚାଷୀ ଭାଇମାନଙ୍କର । ଆମର ଚାଷୀଭାଇମାନଙ୍କ କାର୍ଯ୍ୟ ଆମକୁ ସବୁବେଳେ ଗର୍ବିତ କରିଆସିଛି । ତେଣୁ ଚାଷ ଓ ଚାଷୀଙ୍କ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଇଆସୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୋ ସରକାରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ହେବା ଚାଷୀଭାଇଙ୍କର ସଶକ୍ତି ଏକ ବଳିଷ୍ଠ ପଦକ୍ଷେପ । କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ । ତେଣୁ ସେମାନଙ୍କର ଉନ୍ନତି ପାଇଁ କୃଷି ବିଭାଗ କର୍ମଚାରୀ ଓ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କୃଷି ବିଭାଗ କାର୍ଯ୍ୟରେ ଚାଷୀମାନେ କେତେ ଦୂର ସନ୍ତୁଷ୍ଟ ହେଉଛନ୍ତି ଏବଂ ଆମେ କେତେ ସଫଳ ଭାବେ ସେମାନଙ୍କୁ ସେବା ଯୋଗାଇ ଦେଉଛେ , ତାହା ହେଉଛି ମୋ ସରକାରର ମୁଖ୍ୟ ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ନିଜେ ବ୍ୟକ୍ତିଗତ ଭାବରେ ଚାଷୀମାନଙ୍କୁ ଫୋନ କରିବେ ଏବଂ ସେମାନେ ପାଉଥିବା ସେବା ସମ୍ପର୍କରେ ପଚାରି ବୁଝିବେ । ଯଦି ସରକାରୀ ସେବା ସମ୍ପର୍କରେ ଚାଷୀଙ୍କ ପ୍ରତିକ୍ରିୟା ଭଲ ରହେ ତେବେ କର୍ମଚାରୀମାନଙ୍କୁ ପ୍ରଶଂସା ପତ୍ର ସହିତ ପ୍ରୋତ୍ସାହନ ଦିଆଯିବ ଏବଂ ନକରାତ୍ମକ ପ୍ରତିକ୍ରିୟା ସମ୍ପର୍କରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ।

କୃଷି ବିଭାଗର ପ୍ରମୁଖ୍ ସଚିବ ସୌରଭ ଗର୍ଗ ସ୍ୱାଗତ ଭାଷଣ ଦେଇ ବିଭାଗରେ ମୋ ସରକାରର ପ୍ରୟୋଗ ସମ୍ପର୍କରେ ଆଲୋକପାତ କରିଥିଲେ । 5-ଟି ସଚିବ ଭି.କେ ପାଣ୍ଡିଆନ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ କୃଷି ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ, ବିଭାଗୀୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ପଦାଧିକାରୀ ଓ ଭିଡ଼ିଓ କନଫରେନସରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗର ଜିଲ୍ଲାସ୍ଥରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

