ବାବା ବାଲକନାଥ ହେବେ କି ରାଜସ୍ଥାନର ଆଗାମୀ ମୁଖ୍ୟମନ୍ତ୍ରୀ ?

ଜୟପୁର: ରାଜସ୍ଥାନରେ ବିଜେପିର ହେଲା ସହଜ ବିଜୟ । ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବଢିଲାଣି ଦ୍ବନ୍ଦ୍ବ । ଦାବିଦାରଙ୍କ ସଂଖ୍ୟା ବଢୁଥିବାବେଳେ କାହାକୁ କରାଯିବ ସିଏମ ସେନେଇ ହାଇକମାଣ୍ଡଙ୍କ ବଢୁଛି ମୁଣ୍ଡବ୍ୟଥା । ସବୁଠାରୁ ବଡ଼ ଦାବିଦାର ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ୨୦୦୩ ଓ ୨୦୧୩ରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା । ବିଜେପି ନେତ୍ରୀ ବିଜୟାରାଜେ ସିନ୍ଦିଆଙ୍କ କନ୍ୟା ତଥା ସ୍ବର୍ଗତ ମାଧବରାଓ ସିନ୍ଦିଆଙ୍କ ଭଉଣୀ ବସୁନ୍ଧରା ରାଜ୍ୟ ଓ ଜାତୀୟ ସ୍ତରରେ ବିଜେପିର ନେତୃତ୍ବ ନେଇ ଚର୍ଚ୍ଚାରେ ଅଛନ୍ତି ।

ସେ ବି ଥିଲେ ରାଜ୍ୟର ପ୍ରଥମ ମହିଳା ମୁ୍ଖ୍ୟମନ୍ତ୍ରୀ । ଅନ୍ୟତମ ଦାବିଦାର ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ । ସଞ୍ଜୀବନୀ କ୍ରେଡିଟ କୋପରେଟିଭ ସୋସାଇଟି ସ୍କାମ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିରୋଧ କରି ସେ ଥିଲେ ଚର୍ଚ୍ଚାରେ । ୨୦୧୯ରେ ଗେହଲଟଙ୍କ ପୁଅ ବୈଭବଙ୍କୁ ପରାସ୍ତ କରି ସେ ସାଜିଥିଲେ ଜାଏଣ୍ଟ କିଲର । ସିଏମ ଦୌଡରେ ବି ରହିଛନ୍ତି ଦିୟା କୁମାରୀ । ଜୟପୁର ରାଜପରିବାରର ସଦସ୍ୟା ୨୦୧୯ରେ ସର୍ବାଧିକ ୫ ଲକ୍ଷ ୫୧ ହଜାର ଭୋଟରୁ ଅଧିକ ଭୋଟରେ ଜିତି ଚର୍ଚ୍ଚାକୁ ଆସିଥିଲେ ।

ଆଉ ଜଣେ ଚର୍ଚ୍ଚିତ ନେତା ହେଲେ ବାବା ବାଲକନାଥ । ରାଜସ୍ଥାନର ଯୋଗୀ ଭାବେ ଖ୍ୟାତ ବାଲକନାଥ ଧାର୍ମିକ ଗୁରୁ କଟ୍ଟର ହିନ୍ଦୁବାଦୀ ନେତା ଭାବେ ପରିଚିତ । ଏହା ସହ ସେ ବାବା ମସ୍ତନାଥ ବିଶ୍ବବିଦ୍ୟାଳୟର କୁଳପତି ବି ଅଛନ୍ତି । ଅନ୍ୟ ଜଣେ ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି କେନ୍ଦ୍ର ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ । ସବୁଜ ଓ ଗେରୁଆ ପଗଡି ପିନ୍ଧି ସର୍ବଦା ଚର୍ଚ୍ଚାରେ ଥିବା ଅର୍ଜୁନ ସର୍ବଦା କଥା ନୁହେଁ କାମରେ ବିଶ୍ବାସ କରନ୍ତି । ପ୍ରଚାରରୁ ଦୂରରେ ରହି କାମ କରୁଥିବା ନେତା ଭାବେ ସେ ଖ୍ୟାତି ଅର୍ଜନ କରିଛନ୍ତି ।

ସଂସଦର ଉଭୟ ଗୃହରେ ତାଙ୍କର ସୁପରିଚାଳନାକୁ ନେଇ କେନ୍ଦ୍ରୀୟ ନେତୃତ୍ବ ତାଙ୍କ ଉପରେ ଅଧିକ ଆଶାବାଦୀ । ଅନ୍ୟ ଜଣେ ଦାବିଦାର ଅଛନ୍ତି କିରୋଡି ଲାଲ ମୀନା । ସଂଖ୍ୟାଗରିଷ୍ଠ ମୀନା ସମ୍ପ୍ରଦାୟର ନେତୃତ୍ବ ନେଉଥିବା ଏହି ନେତା ଡାକ୍ତର ସାହେବ ଓ ବାବା ନାମରେ ଜଣାଶୁଣା । ପ୍ରତିଯୋଗିତାରେ ବି ସାମିଲ ଅଛନ୍ତି ବିଜେପି ରାଜ୍ୟ ସଭାପତି ଚନ୍ଦ୍ର ପ୍ରକାଶ ଯୋଶୀ । ଗତ ମାର୍ଚ୍ଚରେ ରାଜ୍ୟ ବିଜେପିର ସଭାପତି ଭାବେ ନିଯୁକ୍ତି ହୋଇଥିଲେ ୪୮ ବର୍ଷ ବୟସ୍କ ଯୋଶୀ । ସେ ଚିତ୍ତୋରଗଡ ଲୋକସଭା ଆସନରୁ ୨ ଥର ସାଂସଦ ହୋଇଛନ୍ତି । ନିଜ କାମ ଲାଗି ସେ ସର୍ବଦା ପ୍ରଶଂସାର ପାତ୍ର ହୋଇଛନ୍ତି । ରାଜ୍ୟ ନେତୃତ୍ବ ସହ ତାଙ୍କର ସମ୍ପର୍କ ଉତ୍ତମ ଥିବାବେଲେ ଆରଏସଏସ କର୍ମୀ ଭାବେ ତାଙ୍କ କ୍ୟାରିଅର ରହିଛି । ଗତ ନିର୍ବାଚନ ପ୍ରଚାର ସମୟରେ ଉଦୟପୁରରେ ତାଙ୍କର ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।