ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି

କିଭ୍‌: ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଗତବର୍ଷ ଫେବ୍ରୁଆରୀରୁ ଉଭୟ ୟୁକ୍ରେନ ଓ ଋଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଥିବାବେଳେ କାହିଁକି ଜେଲେନସ୍କି ଏହି ପଦକ୍ଷେପ ନେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜିନକୋଭଙ୍କୁ ବହିଷ୍କାର କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜେଲେନସ୍କି ।

ତାଙ୍କ ସ୍ଥାନରେ ରୁସ୍ତମ ଉମରୋଭଙ୍କୁ ନିଯୁକ୍ତି ଦିଆଯାଇଛି । ଗତବର୍ଷ ନଭେମ୍ବରରୁ ରେଜିନକୋଭ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ଦାୟିତ୍ବ ତୁଲାଇ ଆସୁଥିଲେ । ଏହା ସହ ଯୁଦ୍ଧ ଜାରି ରଖିବା ଲାଗି ସେ ପାଶ୍ଚାତ୍ୟ ରାଷ୍ଟ୍ରରୁ କୋଟି କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଡ କରିବାରେ ସକ୍ଷମ ହୋଇଥିଲେ । ତେବେ ପ୍ରତିରକ୍ଷା ବିଭାଗରେ ଦୁର୍ନୀତି ହୋଇଥିବା ନେଇ ତାଙ୍କ ନାମରେ ଅଭିଯୋଗ ଆସିବା ପରେ ରେନିକୋଭଙ୍କୁ ବହିଷ୍କାର କରାଗଲା ବୋଲି ସୂଚନା ମିଳିଛି ।

ୟୁକ୍ରେନରେ ବର୍ତ୍ତମାନ ଯୁଦ୍ଧ ସତ୍ତ୍ବେ ଦୁର୍ନୀତି ବିରୋଧରେ ଅଭିଯାନ ଜାରି ରହିଛି । ୟୁରୋପୀୟ ୟୁନିଅନରେ ଯୋଗ ଦେବା ଲାଗି ୟୁକ୍ରେନ ଆବେଦନ କରିଥିବାବେଳେ ଦୁର୍ନୀତିମୁକ୍ତ ବ୍ୟବସ୍ଥା ଏକ ମୁଖ୍ୟ ସର୍ତ୍ତ ହୋଇଥିବାରୁ ୟୁକ୍ରେନରେ ଏବେ ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରହିଛି । ୪୧ ବର୍ଷ ବୟସ୍କ ଉମରୋଭ ପୂର୍ବରୁ ୟୁକ୍ରେନର ଷ୍ଟେଟ ପ୍ରପର୍ଟି ଫଣ୍ଡରେ କାର୍ଯ୍ୟ କରିଥିଲେ ।