spot_img

Latest Posts

ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀ ମନ୍ଦିରର ହେବ ନବକଳେବର, ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: 5T ଉପକ୍ରମରେ ନୂଆ ରୂପ ନେବ ମା’ ବୁଢୀ ଠାକୁରାଣୀ ମନ୍ଦିର । ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇଟି ପର୍ଯ୍ୟାୟରେ କାମ କରାଯିବ। ଏଥିପାଇଁ ୧୮କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢୀ ଠାକୁରାଣୀଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଶ୍ରଦ୍ଧାଳୁ ଆସନ୍ତି । ଭକ୍ତଙ୍କ ସୁବିଧା ତଥା ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ମୁଖ୍ୟ ମନ୍ଦିରର ବିକାଶ ସହ ମନ୍ଦିର କାନ୍ଥ ତଥା ଚଟାଣରେ ପଥର ବିଛାଯିବ। ଯଜ୍ଞ କୁଣ୍ଡ, ମନ୍ଦିର କାର୍ଯ୍ୟାଳୟର ପୁନଃନିର୍ମାଣ, ପାଚେରୀ, ଉଦ୍ୟାନ, ସୁସଜ୍ଜିତ ପ୍ରବେଶ ଚିଟ୍ ସହିତ ମନ୍ଦିରକୁ କଳିଙ୍ଗ ସ୍ଥାପତ୍ୟରେ ସୁଶୋଭିତ କରାଯିବ।

ସେହିପରି ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ହାତ, ପାଦ ଧୋଇବା ପାଇଁ ପାଣିର ବ୍ୟବସ୍ଥା, ପ୍ରେକ୍ଷାଳୟ ଆଦି ନିର୍ମାଣ କରାଯିବ। ଏହାସହିତ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ପାଇଁ ହଲ, ପୂଜକଙ୍କ ପାଇଁ ଗୃହ, ମନ୍ଦିର ରୋଷଘର, ଭୋଗମଣ୍ଡପ ମଧ୍ୟ ନିର୍ମାଣ କରାଯିବ। ମନ୍ଦିରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆଲୋକସଜ୍ଜା ମଧ୍ୟ କରାଯିବ। ମନ୍ଦିରକୁ ଯାଇଥିବା ରାସ୍ତାର ଉନ୍ନତୀକରଣ, ପାର୍କିଂ ବ୍ୟବସ୍ଥା, ଶୌଚାଳୟ, ଲ୍ୟାଣ୍ଡସ୍କେପିଂ ସହିତ ବୃକ୍ଷରୋପଣ ପାଇଁ ପଦକ୍ଷେପ ନିଆଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଭିକେ ପାଣ୍ଡିଆନ୍ ନିକଟରେ ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର ବିକାଶ ସମ୍ପର୍କରେ ପୂଜକ, ସ୍ଥାନୀୟ ଜନତା, ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ।

Latest Posts

Don't Miss