ଗରିବ ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଲେ 5T ସଚିବ, ମିଳିଲା ପୁସ୍ତକ ସହ ଆର୍ଥିକ ସହାୟତା

1 min read

ଭୁବନେଶ୍ବର: ଗରିବ ମେଧାବୀ ଛାତ୍ରୀଙ୍କ ଦୁଃଖ ବୁଝିଲେ 5T ସଚିବ ଭି.କେ. ପାଣ୍ଡିଆନ । ପାଠ ପଢା ପାଇଁ ପୁସ୍ତକ ସହ ମିଳିଲା ଆର୍ଥିକ ସହାୟତା । ସାହାଯ୍ୟ ସହଯୋଗ ପାଇଁ ଉପକୃତ ହେଲେ କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ରତାପାଟ ଗାଁର ମେଧାବୀ ଝିଅ ଶୁଭଲକ୍ଷ୍ମୀ ଧଳ ।

ଚଳିତବର୍ଷ ଦଶମ ପରୀକ୍ଷାରେ ୬୦୦ରୁ ୫୬୮ ମାର୍କ ରଖି ବ୍ଲକରେ ଟପ୍ପର ହୋଇଛନ୍ତି ଶୁଭଲକ୍ଷ୍ମୀ । ବାପାଙ୍କ ମୃତ୍ୟୁ ପରେ ପରିବାର ଦୁଃଖ ଆଉ ଦୁର୍ଦ୍ଦିନ ଦେଇ ଗତି କରୁଛି । ଉଚ୍ଚ ଶିକ୍ଷାନେଇ ମନରେ ଉଚ୍ଚ ଅଭିଳାଷ ଥିଲେ ମଧ୍ୟ ପାଖରେ ନଥିଲା ସମ୍ବଳ । ଦୁଃଖକଷ୍ଟରେ ପରିବାର ପୋଷୁଥିବା ମାଆ ରେବତୀ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ । ଏହି ଖବର ଜାଣିବା ପରେ ଶୁଭଲକ୍ଷ୍ମୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି 5T ସଚିବ । ଶୁଭଲକ୍ଷ୍ମୀର ପାଠ ପଢ଼ା ପାଇଁ ସହାୟତା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କଟକ ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ସହ ଶୁଭଲକ୍ଷ୍ମୀଙ୍କୁ ପୁସ୍ତକ ଯୋଗାଇ ଦେଇଛନ୍ତି । ଏବେ ଆଉ ଶୁଭଲକ୍ଷ୍ମୀଙ୍କ ପାଠ ପଢା ଅଧାରେ ଅଟକିବନି । ସରକାରୀ ଆର୍ଥିକ ସହାୟତା ମିଳିବା ପରେ ଶୁଭଲକ୍ଷ୍ମୀ ଓ ପରିବାର ଖୁସି ବ୍ୟକ୍ତ କରିଛନ୍ତି ।