ସ୍ନାନଯାତ୍ରା ବେଳେ ଅଘଟଣ: ସ୍ନାନ ମଣ୍ଡପ ଆଗରେ ଟଳି ପଡ଼ିଲେ ଭକ୍ତ
ପୁରୀ: ଶ୍ରୀଜିଉଙ୍କ ଦେବସ୍ନାନ ଯାତ୍ରା ବେଳେ ସ୍ନାନମଣ୍ଡପ ସମ୍ମୁଖରେ ଟଳି ପଡ଼ିଲେ ଭକ୍ତ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତକ ଜଣଙ୍କ ହେଲେ ରାଜସ୍ଥାନର ଅମ୍ବାଲାଲ ଭୋଇ ।
ସୂଚନା ଅନୁସାରେ, ଅମ୍ବାଲାଲ ପରିବାର ସହ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ଆସିଥିଲେ । ସ୍ନାନବେଦୀରେ ବିରାଜିତ ଶ୍ରୀଜିଉଙ୍କ ଦର୍ଶନ କରିବା ସମୟରେ ମୁଣ୍ଡ ବୁଲାଇବାରୁ ସେ ହଠାତ ପଡ଼ି ଯାଇଥିଲେ । ତାଙ୍କ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା । ହେଲେ ସେତେବେଳକୁ ତାଙ୍କ ମୃତ୍ୟୁ ଘଟି ସାରିଥିଲା ।
ତେବେ ଅମ୍ବାଲାଲଙ୍କ ପୂର୍ବରୁ ରକ୍ତଚାପ ଓ ହୃଦରୋଗ ଥିବା ଜଣାପଡ଼ିଛି ।