ଜେଲ୍ ନା ପଞ୍ଚତାରକା ହୋଟେଲ ? କଏଦୀଙ୍କୁ ମିଳିଥାଏ ବିଳାସପୂର୍ଣ୍ଣ ସୁବିଧା
1 min readନନ୍ଦିଘୋଷ ବ୍ୟୁରୋ: ଜେଲ୍ ନାଁ ଶୁଣିଲେ ହଠାତ ମନକୁ ଆସିଯାଏ, କାଳକୋଠରୀ ଆଉ ଯନ୍ତ୍ରଣା। ଯେଉଁଠି ଜଣେ ବ୍ୟକ୍ତି ବଡ଼ବଡ଼ କାନ୍ଥ ଥିବା ଅନ୍ଧାରୀ କୋଠରୀ ମଧ୍ୟରେ ବନ୍ଦୀ ଜୀବନ ବିତାଉଥିବେ । ବିଭିନ୍ନ ଫିଲ୍ମରେ ଆପଣ ଜେଲ ଭିତରର କାଳ୍ପନିକ ଦୃଶ୍ୟ ହୁଏତ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଜେଲ୍ ବିଷୟରେ କହିବୁ, ଯେଉଁଠି କଏଦୀମାନଙ୍କୁ ମିଳିଥାଏ ବିଳାଶପୂର୍ଣ୍ଣ ସୁବିଧା । ଏପରିକି ଏହି ଜେଲ୍ ତୁଳନାରେ ହୁଏତ ଫାଇଭ୍ ଷ୍ଟାର ହୋଟେଲ ମଧ୍ୟ ପଛରେ ପଡିଯିବ ।
ବଷ୍ଟାଇ ଜେଲ୍, ନରୱେ – ଏହି ଜେଲ୍ ବଷ୍ଟାଇର ଆଇଲାଣ୍ଡରେ ରହିଛି । ଯେଉଁଠି ୧୦୦ରୁ ଅଧିକ କଏଦୀ ରହିଛନ୍ତି । କଏଦୀଙ୍କୁ ମିଳୁଥିବା ସୁବିଧା ପାଇଁ ଏହି ଜେଲ୍ ଖୁବ୍ ଚର୍ଚ୍ଚାରେ । ଏଠି କଏଦୀଙ୍କ ମନୋରଞ୍ଜନ ପାଇଁ ବହୁ ବ୍ୟବସ୍ଥା କରାଯାଇଛି । ଟେନିସ୍, ଘୋଡାଦୌଡ ଓ ମାଛ ଧରିବା ଭଳି ସୁବିଧା ରହିଛି ।
ଏଚଏମପି ଅଡ୍ଡେବେଲ୍ଲ, ସ୍କଟଲାଣ୍ଡ- ଏହି ଜେଲକୁ ଲର୍ଣ୍ଣିଂ ପ୍ରିଜନ ମଧ୍ୟ କୁହାଯାଏ । ଏଠି କଏଦୀଙ୍କୁ ସପ୍ତାହରେ ୪୦ ଘଣ୍ଟା କିଛିନା କିଛି ଶିକ୍ଷା ଦିଆଯାଏ । ଯାହାଦ୍ୱାରା ଜେଲରୁ ବାହାରିବା ପରେ କଏଦୀ ଜଣକ ଏକ ଭଲ ଜୀବନଯାପନ କରିପାରିବ । ଏଠାରେ ୭୦୦ରୁ ଅଧିକ କଏଦୀଙ୍କୁ କିଛିନା କିଛି ଟ୍ରେନିଂ ଦିଆଯାଏ । ଏହା ଦୁନିଆର ସବୁଠୁ ଭଲ ଜେଲ୍ ଭାବେ ପରିଗଣିତ ।
ଅଟାଗୋ କରେକ୍ସନ ଫେସିଲିଟି, ନ୍ୟୁଜିଲାଣ୍ଡ- ଏଠି କଏଦୀଙ୍କ ସ୍କିଲ୍ ଡେଭଲପମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଏ । ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଏ । ଏହି ଜେଲର ମୁଖ୍ୟ ଲକ୍ଷ୍ୟ ହେଉଛି, ଜେଲରୁ ବାହାରିବା ପରେ କଏଦୀ ଜଣକ ଭଲ ଆୟ କରିବା ସହ ଏକ ସ୍ୱଚ୍ଛନ୍ଦ ଲାଇଫଷ୍ଟାଇଲ ବଞ୍ଚିପାରିବ ।
ଜଷ୍ଟିସ୍ ସେଣ୍ଟର ଲୋବେନ୍, ଅଷ୍ଟ୍ରିଆ- ଏହି ଜେଲରେ ରହୁଥିବା କଏଦୀମାନଙ୍କୁ ବ୍ୟକ୍ତିଗତ ରୁମ୍ ଦିଆଯାଇଥାଏ । ଯାହାସହିତ ପ୍ରାଇଭେଟ୍ ବାଥରୁମର ସୁବିଧା ଦିଆଯାଇଥାଏ । ଏହାବ୍ୟତୀତ ଏକ କିଚେନ୍, ଟିଭି ମଧ୍ୟ ମିଳିଥାଏ । ଏପରିକି ଏହି ଜେଲରେ କଏଦୀଙ୍କୁ ଜିମ୍ ଓ ବାସ୍କେଟବଲ୍ କୋର୍ଟ ମଧ୍ୟ ମିଳିଥାଏ ।
ଅରନଜୁଏଜ୍ ପ୍ରିଜନ୍, ସ୍ପେନ୍- ଅନ୍ୟ ଜେଲ୍ ଠାରୁ ଏହି ଜେଲ ଖୁବ୍ ଭିନ୍ନ । ଏହାକୁ କଏଦୀ ମାନଙ୍କ ସ୍ୱର୍ଗ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ଯେଉଁ କଏଦୀଙ୍କ ପିଲାମାନେ ଛୋଟ୍ ସେମାନେ ପୂରା ପରିବାର ସହ ଜେଲରେ ରହିପାରିବେ । ଏମିତିକି ପିଲାମାନଙ୍କ ପାଇଁ ଏଠାରେ ସ୍କୁଲ ମଧ୍ୟ ରହିଛି । ଏହାଦ୍ୱାରା ପିଲାମାନେ ନିଜ ମା’ ବାପାଙ୍କ ସ୍ନେହରୁ ବଞ୍ଚିତ ହେବେ ନାହିଁ ।