ଚୌଦ୍ୱାର-ଆଠଗଡ-ସାଲେପୁରରେ ପହଁଚିବ ବିଶୁଦ୍ଧ ଜଳ , କୃତଜ୍ଞତା ଜଣାଇଲେ ବିଧାୟକ-ମନ୍ତ୍ରୀ

1 min read

ଭୁବନେଶ୍ୱର: ୭ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ  । ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର  । ସାଧାରଣ ଲୋକଙ୍କ ପାଇଁ ଜାପାନର ରାଜଧାନୀ ଟୋକିଓରେ ରହି ସାତଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ  । ସାଲେପୁର- ଚୌଦ୍ୱାର ଏବଂ ଆଠଗଡର ୨୩ଟି ପଞ୍ଚାୟତରେ ପହଁଚିବ ବିଶୁଦ୍ଧ ପାନୀୟ ଜଳ  । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୩ କୋଟି ୯୯ଟଙ୍କା ବଜେଟରେ ଅନୁମୋଦନ କରିଛନ୍ତି  ।

ଏଥିରେ ୩ଟି ବ୍ଲକର୍ ୨୪ଟି ଗ୍ରାମ ପଞ୍ଚାୟତର ୧୨୪ଟି ଗାଁ ଲକ୍ଷାଧିକ ଲୋକ ଉପକୃତ ହେବେ । ଏଥିପାଇଁ ହାଇଦ୍ରାବାଦର ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟ୍ରକଚ୍ର ଲିମିଟେଡ୍କୁ ପକାଇଥିବା ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ମେଗା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୨୦୫ କୋଟି ୩୧ ଲକ୍ଷ ୭୦ ହଜାର ଟଙ୍କା। ୨୪ ମାସ ଭିତରେ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବା ସହିତ ନିର୍ମାଣ କରିବାକୁ ଥିବା କମ୍ପାନୀ ୫ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବେ।

କଟକ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀକୁ ବିଶୁଦ୍ଧ ପାନୀୟ ଜଳ ପହଁଚିବା ନେଇ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ତିନି ବିଧାୟକ  । ଆଠଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିବାବେଳେ ପରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବଂ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ  ।

ସୂଦୂର ଜାପାନରେ ଥିବା ଅବସ୍ଥାରେ ମଧ୍ୟ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ  । ବିଶେଷ କରି କଟକ ଜିଲ୍ଲାର ସାଲେପୁର- ଚୌଦ୍ୱାର ଏବଂ ଆଠଗଡରେ ଲକ୍ଷାଧିକ ଲୋକଙ୍କ ପାଖରେ କିପରି ବିଶୁଦ୍ଧ ପାନୀୟ ଜଳ ପହଁଚିବ ସେଥିନେଇ କ୍ୟାବିନେଟରେ ମୋହର ମାରିଛନ୍ତି  । ନିର୍ଦ୍ଧିଷ୍ଠ ସୀମା ମଧ୍ୟରେ କାର୍ଯ୍ୟ ସମାପନ କରିବାକୁ ନିଷ୍ପତ୍ତି ନିଆଯାଇଛି  ।