ଆଖିରେ ଲୁହ ଦେଇ କୃଷ୍ଣ ଚାଲିଗଲେ ଆରପାରିକୁ…
1 min read
ଗୁମୁରି ଗୁମୁରି କାନ୍ଦୁଛନ୍ତି ବୁଢ଼ା ବାପା ମାଙ୍କ ସହ ଚାରି ଭଉଣୀ… । ତାଙ୍କ ଆଖିରୁ ଲୁହ ପୋଛିବାକୁ କେହି ନାହାନ୍ତି । ତାଙ୍କ କୃଷ୍ଣ ତାଙ୍କୁ ଛାଡ଼ି ଅଫେରା ରାଇଜକୁ ଚାଲିଯାଇଛି ।
‘କଷ୍ଟ ପଡ଼ୁପଛେ ବାହାରକୁ ଯାଇ କାମ କରିବି… । ମୋତେ କଷ୍ଟ ହେଲେ କଣ ହେଲା ମୋ ପରିବାର ତ ଖୁସିରେ ରହିବେ… । ଯାହାବି ହେଉନା କାହିଁକି ମୋତେ ଅଧିକ ଟଙ୍କା ରୋଜଗାର କରିବାକୁ ପଡିବ ।’ ଏମିତି କିଛି ଭଲ କଥା କହି ସୁଦୂର ତାମିଲନାଡୁ ଯାଇଥିଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଝରିଆ ଗାଁର କୃଷ୍ଣ ଚନ୍ଦ୍ର ଜଗଦେବ ।
ସବୁ କିଛି ଠିକ ଥିଲା… କିଛି ମାସ ହେବ କୃଷ୍ଣ ଘରକୁ ଟଙ୍କା ପଠାଉଥିଲେ, ଭଲରେ ଭଲରେ ଚାଲିଥିଲା ତାଙ୍କର ସଂସାର ।
କିନ୍ତୁ ତାଙ୍କ ପରିବାରର ଏ ଖୁସିରେ କେହି କଳା ନଜର ପକାଇଥିଲା । ସବୁ କଛି ହଠାତ ଯେମିତି ଠପ୍ ହୋଇଗଲା । ଗତକାଲି କୌଣସି କାରଣରୁ କୃଷ୍ଣଙ୍କର ମୃତ୍ୟୁ ହୋଇଛି । କୃଷ୍ଣ ତାମିଲନାଡୁର ମେଲୁର ଅଞ୍ଚଳର SIS ନାମକ ଏକ ଘରୋଇ କମ୍ପାନୀରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ ।
୪ ଭଉଣୀ ରେ ଗୋଟିଏ ଭାଇ ହୋଇଥିବାରୁ ବାପ ମାଙ୍କର ଅତି ଗେହ୍ଲା ଥିଲେ କୃଷ୍ଣ । କୃଷ୍ଣ ରୋଜଗାର କରି ଦୁଇ ଭଉଣୀଙ୍କର ବାହାଘର କରାଇଛନ୍ତି । ଏବେ ସାନ ଦୁଇ ଭଉଣୀ, କୃଷ୍ଣ ଚନ୍ଦ୍ର ଓ ବାପ ମାଙ୍କୁ ମିଶାଇ ୫ ପ୍ରାଣୀ ର ପରିବାର । ଏଭଳି ହୃଦୟ ବିଦାରକ ଖବର ଟାଙ୍ଗୀ ପୋଲିସ୍ ଠାରୁ ପାଇବା ପରେ ପରିବାର ଲୋକେ ପୁରା ସ୍ତବ୍ଧ ହୋଇପଡିଛନ୍ତି । ମେଲୁର ପୋଲିସ୍ କୃଷ୍ଣ ଚନ୍ଦ୍ରଙ୍କ ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଏନେଇ ଟାଙ୍ଗି ପୋଲିସ୍ ତାର ତଦନ୍ତ ଆରମ୍ଭ କରିଥିବା ସୁଚନା ଦେଇଛି । ')}