ଆଜି କାଶ୍ମୀରରେ ଶେଷ ହେଉଛି ଭାରତ ଯୋଡୋ ଯାତ୍ରା, ଯୋଗ ଦେଇପାରନ୍ତି ୧୨ଟି ଆଞ୍ଚଳିକ ଦଳର ନେତା
କାଶ୍ମୀର: ଆଜି କାଶ୍ମୀରରେ ଶେଷ ହେଉଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଗତବର୍ଷ ସେପ୍ଟେମ୍ବର ୭ରେ ରାହୁଲ ଗାନ୍ଧୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଭାରତ ଯୋଡୋ ଯାତ୍ରା । ଭାରତ ଯୋଡୋ ଯାତ୍ରାର ଶେଷ ଦିନରେ ଆଜି ୧୨ଟି ଆଞ୍ଚଳିକ ଦଳର ନେତା ଯୋଗ ଦେବେ ବୋଲି ଜଣାପଡ଼ିଛି । ଏଥିସହ ବିରାଟ ରାଲି ଏବଂ ଶୋଭଯାତ୍ରା ଆୟୋଜନ ହେବ । ଭାରତ ଯୋଡୋ ଯାତ୍ରା ସମୟରେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ବିଭିନ୍ନ ରାଜ୍ୟ ଦେଇ ହଜାର ହଜାର ସମର୍ଥକଙ୍କ ଗହଣରେ କାଶ୍ମୀରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ । ଆଜି ଭାରତ ଯୋଡୋ ଯାତ୍ରା ଶେଷ ହେବାକୁ ଯାଉଛି ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଲୋକଙ୍କ ପାଖରେ ପହଞ୍ଚିଛନ୍ତି କଂଗ୍ରେସ ନେତା । ଏଥିସହ ଦେଶରେ ବଢୁଥିବା ହିଂସା ଓ ବିଦ୍ବେଶକୁ ବିରୋଧ କରି ଏହି ଯାତ୍ରା ଆରମ୍ଭ କରିଥିଲା କଂଗ୍ରେସ । ଦେଶରେ ଭାଇଚାରା ଓ ପ୍ରେମର ସ୍ଥାପନା ପାଇଁ ଯାତ୍ରା ଆରମ୍ଭ କରିଥିବା କଂଗ୍ରେସ ସଫଳ ହୋଇଛି ବୋଲି ଦଳୀୟ ନେତା କହିଛନ୍ତି । ଆଜି ଆଞ୍ଚଳିକ ଦଳର ନେତା ଯୋଗ ଦେଉଥିବା ବେଳେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବ । ଗତକାଲି ଲାଲଚୌକରେ ରାହୁଲ ଗାନ୍ଧୀ ଜାତୀୟ ପତାକା ଉଡାଇଥିଲେ ।