ନୂଆଦିଲ୍ଲୀ : ଶନିବାର ସକାଳେ ମଧ୍ୟପ୍ରଦେଶର ମୋରେନାରେ ହୋଇଥିବା ବିମାନ ଦୁର୍ଘଟଣାରେ ଜଣେ ପାଇଲଟ୍ ସହିଦ ହୋଇଛନ୍ତି । ମିରାଜ -୨୦୦୦ ଲଢୁଆ ବିମାନର ପାଇଲଟ୍ ସହିଦ ହୋଇଛନ୍ତି । ଅନ୍ୟପକ୍ଷରେ ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଥିଲା ବୋଲି ଅସମର୍ଥିତ ସୂତ୍ରରୁ ପ୍ରକାଶ । ତେବେ ଏହି ଦୁର୍ଘଟଣାକୁ ନେଇ ବାୟୁସେନା ପକ୍ଷରୁ କୋର୍ଟ୍ ଅଫ୍ ଇନକ୍ୱାରୀ ଗଠନ କରାଯାଇଛି ।

ଦୁଇ ଉଦ୍ଧାର,ଜଣେ ସହିଦ
ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ସହିତ ବାୟୁସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବାୟୁସେନାର ଏକ ହେଲିକପ୍ଟର ଦୁଇ ଜଣ ଆହତ ପାଇଲଟଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କୁ ଗ୍ୱାଲିୟର ବେସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ମିରାଜ୍ ପାଇଲଟ୍ ସହିଦ ହୋଇଛନ୍ତି । ଦୁର୍ଘଟଣା ପରେ ସୁଖୋଇ-୩୦ର ଦୁଇ ପାଇଲଟ୍ ପ୍ଲେନରୁ ଇଜେକ୍ଟ କରିଯାଇଥିଲେ କିନ୍ତୁ ମିରାଜ ପାଇଲଟ୍ ବାହାରି ପାରିନଥିଲେ ।
ମଝି ଆକାଶରେ ମୁହାଁମୁହିଁ ଧକ୍କା ?
ଅନୁମାନ କରାଯାଉଛି ଯେ, ଦୁଇ ବିମାନ ଅଭ୍ୟାଶ ଉଡାଣରେ ଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲେ । ଯୁଦ୍ଧକାଳୀନ ଅଭ୍ୟାଶ କ୍ରମରେ ବିମାନ ମାନେ ୱାର ଫର୍ମେସନରେ ପାଖାପାଖି ଉଡିଥାନ୍ତି । ଏହି ସମୟରେ ମୁହାଁମୁହିଁ ଧକ୍କା ହୋଇଥିବା ଅନୁମାନ କରାଯାଉଛି । ତେବେ ବାୟୁସେନା ତରଫରୁ ଏନେଇ ସ୍ପଷ୍ଟ ଭାବେ କିଛି ମଧ୍ୟ କୁହାଯାଇନାହିଁ ।

