ବୟଫ୍ରେଣ୍ଡ ନଥିଲେ ଛାତ୍ରୀଙ୍କୁ କଲେଜ ମନା, ଉମରକୋଟରେ ଭାଇରାଲ ହେଉଛି ଏଭଳି ନୋଟିସ୍

ନବରଙ୍ଗପୁର: ବୟଫ୍ରେଣ୍ଡ ନଥିଲେ ଛାତ୍ରୀଙ୍କୁ କଲେଜ ମନା । ଜଗତସିଂହପୁର ପରେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଭାଇରାଲ ହେଉଛି ଏଭଳି ଏକ ନୋଟିସ୍ । ଉମରକୋଟ ପେଣ୍ଡ୍ରାଣୀ କଲେଜ ଅଧ୍ୟକ୍ଷାଙ୍କ ସ୍ୱାକ୍ଷର ଥାଇ ଏକ ନୋଟିସ୍ ଭାଇରାଲ ହେଉଛି । ଫେବ୍ରୁଆରୀ ୧୪ ତାରିଖ ପୂର୍ବରୁ ସମସ୍ତ ଛାତ୍ରୀ ନିଜ ବୟଫ୍ରେଣ୍ଡ ବାଛିବାକୁ ନୋଟିସରେ ଉଲ୍ଲେଖ ରହିଛି । ବୟଫ୍ରେଣ୍ଡ ନଥିଲେ ଛାତ୍ରୀଙ୍କୁ କଲେଜ ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି । ବୟଫ୍ରେଣ୍ଡଙ୍କ ସହ ଫଟୋ ଉଠାଇ ଛାତ୍ରୀମାନେ କଲେଜ ଗେଟରେ ଦେଖାଇ ପ୍ରବେଶ କରିପାରିବେ ।

ଏହି ନୋଟିସ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବାବେଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ସାଧାରଣତନ୍ତ୍ର ଦିବସ ଓ ସରସ୍ବତୀ ପୂଜା ପାଇଁ ଲାଗିଥିବା ନୋଟିସକୁ କେହି ବିକୃତ କରି ଏଭଳି କରିଥିବା କଲେଜ ଅଧ୍ୟକ୍ଷା କହିଛନ୍ତି । ଏନେଇ ପୋଲିସ ନିକଟରେ ଅଭିଯୋଗ କରାଯିବ । କିଛିଦିନ ପୂର୍ବରୁ ଜଗତସିଂହପୁର ଏସଭିଏମ କଲେଜରେ ଠିକ୍‌ ଏମିତି ଏକ ନୋଟିସ ଭାଇରାଲ ହୋଇଥିଲା ।