ଇସ୍ତଫା ଦେବାକୁ ମନା କଲେ ବ୍ରିଜ ଭୂଷଣ, ରେସଲର ରୁଜୁ କରିପାରନ୍ତି ମାମଲା

1 min read

ନୂଆଦିଲ୍ଲୀ: ଜିଦରେ ଅଟଳ ରେସଲର । ରେସଲିଂ ଫେଡେରେସନ ସଭାପତି ବ୍ରିଜ ଭୂଷଣଙ୍କୁ ବିଦା ନକଲେ ଜାରି ରହିବ ଆନ୍ଦୋଳନ । ଗତକାଲି ରାତିରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିବା ସତ୍ତ୍ବେ ଆନ୍ଦୋଳନକାରୀ ଓହରି ନାହାନ୍ତି । ଇସ୍ତଫା ଦେବା ଲାଗି ବ୍ରିଜ ଭୂଷଣଙ୍କୁ କେନ୍ଦ୍ରମନ୍ତ୍ରୀ ୨୪ ଘଣ୍ଟା ମହଲତ ଦେଇଥିଲେ ବି ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି । ତେଣେ ବ୍ରିଜ ଭୂଷଣଙ୍କ ବିରୋଧରେ ଆଜି ଆନ୍ଦୋଳନକାରୀ ଏଫଆଇଆର ଦେଇପାରନ୍ତି ବୋଲି ସୂଚନା ମିଳିଛି ।

ଗତକାଲି ଆନ୍ଦୋଳନରତ ରେସଲରଙ୍କୁ ଭେଟି କେନ୍ଦ୍ର ଅନୁରାଗ କହିଥିଲେ ମି-ଠୁ ଅଭିଯୋଗ ଅତି ସାଂଘାତିକ । ଏହା ବିରୋଧରେ ପଦକ୍ଷେପ ନିଆଯିବ ।
ଦେଶ ଲାଗି ଗର୍ବ ଆଣିଥିବା କୁସ୍ତିଯୋଦ୍ଧା ନ୍ୟାୟ ଲାଗି ଦିଲ୍ଲୀ ଜନ୍ତରମନ୍ତରରେ ଧାରଣା ଦେବା ପରେ ସାରା ଦେଶରେ ସୃଷ୍ଟି ହୋଇଛି ପ୍ରତିକ୍ରିୟା । ରେସଲିଂ ଫେଡେରେସନ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରନ ସିଂ ସମେତ କେତେକ କୋଚଙ୍କ ବିରୋଧରେ ସେମାନେ ଆଣିଥିଲେ ମି-ଠୁ ଅଭିଯୋଗ ।

୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ଗତକାଲି ଫେଡେରେସନକୁ ନିର୍ଦ୍ଦେଶ ଦେଇଥିଲା କ୍ରୀଡ଼ା ମନ୍ତ୍ରାଳୟ । ଅଭିଯୋଗର ତଦନ୍ତ ଲାଗି ଏକ ୩ ଜଣିଆ କମିଟି ବି ହୋଇପାରେ ଗଠନ । ବିକ୍ଷୋଭରେ ବିନେଶ ଫୋଗାଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ସରିତା ମୋର, ସୁମିତ ମଲିକଙ୍କ ସମେତ ବହୁ ପ୍ରତିଷ୍ଠିତ ରେସଲର ହୋଇଛନ୍ତି ସାମିଲ । କେବଳ ଲକ୍ଷ୍ମୌ ନ୍ୟାସନାଲ କ୍ୟାମ୍ପ ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ବି ବ୍ରିଜ ଭୂଷଣ ଓ କୋଚ ଯୌନ ଶୋଷଣ କରିଛନ୍ତି ବୋଲି ରେସଲର କରିଥିଲେ ଅଭିଯୋଗ ।

ବିବାଦର ସମାଧାନ ଲାଗି ମଧ୍ୟସ୍ଥତା କରୁଥିବା ବବିତା ଫୋଗାଟଙ୍କ ଅନୁରୋଧ ବି ପ୍ରତ୍ୟାଖ୍ୟାନ କରିଥିଲେ ଆନ୍ଦୋଳନକାରୀ । ଯୌନ ନିର୍ଯାତନାର ଅନେକ ପ୍ରମାଣ ସେମାନଙ୍କ ନିକଟରେ ରହିଛି ବୋଲି କହିଥିଲେ ଆନ୍ଦୋଳନକାରୀ । ସେପଟେ ଆସନ୍ତା ୨୨ ତାରିଖରେ ଜରୁରୀ ସାଧାରଣ ପରିଷଦ ବୈଠକରେ ସେ ଇସ୍ତଫା ଦେବା ନେଇ ଚାଲିଛି ଚର୍ଚ୍ଚା ।