ଦୁଇ ବର୍ଷର ଛୁଆକୁ ମାରି ଆତ୍ମହତ୍ୟା କଲା ମା’
କଟକ: କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ଅଭାବନୀୟ ଘଟଣା । ଦୁଇ ବର୍ଷର ଛୁଆକୁ ତଣ୍ଟି ଚିପି ମାରିଲା ମା’ । ଛୁଆକୁ ମାରିବା ପରେ ମା’ର ଆତ୍ମହତ୍ୟା । ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି । ତେବେ ଜଣେ ମା’ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ସୂଚନା ଅନୁଯାୟୀ, ମହିଳାଙ୍କ ସ୍ବାମୀ ସାଲେପୁରର ସନ୍ତୋଷ ଖୁଣ୍ଟିଆ। ମୃତ ମହିଳା ଜଣକ ସନ୍ତୋଷଙ୍କ ଦ୍ବିତୀୟ ପତ୍ନୀ ଓ ପିଲାଟି ପ୍ରଥମ ପତ୍ନୀଙ୍କର ପୁଅ। ପ୍ରସବ ପରେ ହିଁ ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପିଲାଟିକୁ ତାର ମାମୁଁଘର ଲୋକେ ନେଇ ଯାଇଥିଲେ। ତେବେ ସନ୍ତୋଷଙ୍କ ଦ୍ବିତୀୟ ବିବାହ ପରେ ତାଙ୍କ ଦ୍ବିତୀୟ ପତ୍ନୀ ପିଲାଟିର ସବୁ ଦାୟିତ୍ବ ନେବାକୁ କହି ନିଜ ପାଖରେ ରଖିଥିଲେ। ମହିଳା ଜଣକ ପିଲାଟିକୁ ବହୁତ ଭଲ ପାଉଥିଲେ। କିନ୍ତୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଏପରିକି ଗତ ୨ଦିନ ତଳେ ପତି ପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଲାଗିଥିଲା ।
ତେବେ ମୃତ ମହିଳାଙ୍କ ସ୍ୱାମୀ ସନ୍ତୋଷ ସବୁବେଳେ ପତ୍ନୀଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ଏସବୁ ସହିନପାରି ସେ ଚରମ ପଦକ୍ଷେପ ନେଇଥିବା ପରିବାର ଲୋକେ କହିଛନ୍ତି । ସେପଟେ ବୋହୂ ସବୁବେଳେ ପୁଅ ସହ କଳି କରୁଥିବା ସନ୍ତୋଷଙ୍କ ବାପା ମାଆ କହିଛନ୍ତି ।
