ମସ୍କଙ୍କୁ ଝଟକା, ହରାଇଲେ  ୨୦୦ ବିଲିୟନ ଡଲାରର ସମ୍ପତ୍ତି

ୱାଶିଂଟନ:  ବିଶ୍ବର ଦ୍ୱିତୀୟ ଧନୀ ବ୍ୟକ୍ତି ଭାବରେ ପରିଚିତ ଏଲନ ମସ୍କଙ୍କୁ ବଡ ଝଟକା । ହଜାର କି ଦୁଇ ହଜାର ମିଲିୟନ ନୁହେଁ ସମୁଦାୟ ୨୦୦ ବିଲିୟନ ସମ୍ପତ୍ତି ହରାଇଛନ୍ତି। ସେ ଦୁନିଆର ପ୍ରଥମ ବ୍ୟକ୍ତି ଯିଏ କି ୨୦୦ ବିଲିୟନ ଡଲାରର ସମ୍ପତି ହରାଇଛନ୍ତି । ସେପ୍ଟେମ୍ବର ୨୦୨୨ରେ ମସ୍କ ଟ୍ବିଟର ଅଧିଗ୍ରହଣ କରିବା ପରେ ଟେସଲା କମ୍ପାନୀର ସେୟାର ହ୍ରାସ ପାଇବାରେ ଲାଗିଥିଲା । ଯାହାଫଳରେ ମସ୍କଙ୍କୁ ୨୦୦ ବିଲିୟନ ଡଲାର କ୍ଷତି ସହିବାକୁ ପଡିଛି ।

ଜାନୁଆରୀ ୨୦୨୧ରେ ୨୦୦ ବିଲିୟନ ଡଲାର ସମ୍ପତ୍ତି ଅର୍ଜନ କରିଥିବା ଏଲନ ମସ୍କ ବିଶ୍ବର ଦ୍ୱିତୀୟ ଧନୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଥିଲେ । ତାଙ୍କ ପୂର୍ବରୁ ଆମଜନ ମୁଖ୍ୟ ଜେଫ ବେଜୋସ୍ ୨୦୦ ବିଲିୟନ ଡଲାର ସମ୍ପତ୍ତି ଅର୍ଜନ କରିଥିଲେ ।

ସୂଚନା ଅନୁଯାୟୀ, ଗତ ସପ୍ତାହରେ ଟେସଲା କମ୍ପାନୀର ସେୟାର ଭ୍ୟାଲୁ ଦୁର୍ବଳ ରହିବା ସହ ୧୧ ପ୍ରତିଶତ ହ୍ରାସ ହୋଇଥିଲା । ଯାହାଫଳରେ ମସ୍କଙ୍କର  ୨୦୦ ବିଲିୟନ ଡଲାର କ୍ଷତି ହୋଇଛି । ମସ୍କଙ୍କ ଏବେ  ମୋଟ ସମ୍ପତ୍ତି ୧୩୭ ବିଲିୟନ ଡଲାର ରହିଛି । ୨୦୨୧ ନଭେମ୍ବର ୪ ତାରିଖ ଶୁଦ୍ଧା ମସ୍କଙ୍କ ସମ୍ପତ୍ତି ପରିମାଣ ମୋଟ ୩୪୦ ବିଲିୟନ ଡଲାର ରହିଥିଲା । ତେବେ ସେବାଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ମସ୍କଙ୍କ ସମ୍ପତ୍ତିରେ ୨୦୦ ବିଲିୟନ ଡଲାରରୁ ଅଧିକ ହ୍ରାସ ପାଇଛି । ସମ୍ପତ୍ତି ହ୍ରାସ ପାଇବା ସତ୍ତ୍ୱେ ମସ୍କ ବିଶ୍ବର ଧନୀ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛିନ୍ତି ।