spot_img

Latest Posts

ଜାନୁଆରୀ ୨୬ରେ ପୁଣି ଚାଷୀଙ୍କ ଗର୍ଜନ

ଚଣ୍ଡିଗଡ଼: ପୁଣି ଗର୍ଜିବେ ଚାଷୀ । ଏଥଣ ଦିଲ୍ଲୀରେ ନୁହେଁ ହରିଆଣାର ଜିନ୍ଦରେ ଆୟୋଜିତ ହେବ କିଷାନ ମହାପଞ୍ଚାୟତ । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏନେଇ କରାଯାଇଛି ଘୋଷଣା । କର୍ଣ୍ଣଲରେ ଆୟୋଜିତ ମୋର୍ଚ୍ଚାର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ରାକେଶ ଟିକାୟତ, ଦର୍ଶନ ପାଲ୍ ଓ ଯୋଗୀନ୍ଦର ସିଂ ଉଗ୍ରହାନ ଯୋଗଦେଇଥିଲେ । ସମସ୍ତ ଉତ୍ତରାଞ୍ଚଳ ରାଜ୍ୟରେ ଚାଷୀମାନେ ଏହି ସମାବେଶରେ ଯୋଗଦେବେ ।

ରାଲିରେ ଶହ ଶହ ଟ୍ରାକ୍ଟର ଭାଗ ନେବାକୁ ଯାଉଥିବାବେଳେ ସମାବେଶରେ ଜାତୀୟ ପତାକା ଉତ୍ତୋଳନ କରାଯିବା । ତେବେ କୌଣସି ସରକାରୀ କାର୍ଯ୍ୟକ୍ରମକୁ ବାଧା ଦିଆଯିବ ନାହିଁ ବୋଲି ଚାଷୀ ନେତାମାନେ କହିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଭାଙ୍ଗିବା ଲାଗି ବିଜେପି ସରକାର କରୁଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କରାଯିବ ବୋଲି ଚାଷୀନେତାମାନେ ଧମକ ଦେଇଛନ୍ତି ।

ଜାନୁଆରୀ ୨୬କୁ ଏକତା ଦିବସ ଭାବେ ପାଳନ କରିବାକୁ ସଂଗଠନ ନିଷ୍ପତ୍ତି ନେଇଛି । ସେହିପରି ମାର୍ଚ୍ଚରେ ଦିଲ୍ଲୀରେ ବି ବଡ଼ଧରଣର ଚାଷୀ ସମାବେଶ କରାଯିବାକୁ ଘୋଷଣା କରାଯାଇଛି । ୩ଟି କଳା କୃଷକ ଆଇନକୁ ହଟାଇବା ଲାଗି ଆନ୍ଦୋଳନ କରିଥିବା ମୋର୍ଚ୍ଚା ବର୍ତ୍ତମାନ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ଗ୍ୟାରେଣ୍ଟି ଦେବା, ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର, ଋଣଛାଡ଼, ଲଖିମପୁର ଖେରି ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର, ବିଦ୍ୟୁତ ବିଲ୍ ପ୍ରତ୍ୟାହାର ଆଦି ଦାବିରେ ଅଟଳ ରହିଛି ।

Latest Posts

Don't Miss