ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ବୃହତ ବିଜୟ

1 min read

ଚିଟ୍ଟୋଗ୍ରାମ: ଦିନିକିଆ ପରେ ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ଧୂଳି ଚଟାଇଲା ଭାରତ । ବାଂଲାଦେଶକୁ ୧୮୮ ରନରେ ହରାଇଲା ଭାରତ । ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ଦମଦାର ବୋଲିଂ ବଳରେ ଭାରତ ବିଜୟ ସ୍ବାଦ ଚାଖିଛି ।

ଭାରତୀୟ ଟିମ୍ ବାଂଲାଦେଶକୁ ୫୧୩ ରନ୍‌ର ଟାର୍ଗେଟ୍ ଦେଇଥିଲା । ଯାହାର ସାମ୍ନା କରିବାକୁ ଯାଇ ମେଜବାନ ଟିମ୍  ୧୧୩.୨ ଓଭର ବ୍ୟାଟିଂ କରି  ସମସ୍ତ ଓ୍ବିକେଟ ହରାଇ ୩୨୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଜାକିର ହସନ ଶତକୀୟ ପାରି ଖେଳିଥିଲେ । ୨୨୪ ବଲ ସମ୍ମା କରି ୧୩ ଚୌକା ଓ ଗୋଟିଏ ଛକା ସହାୟତାରେ ସେ ୧୦୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନଏଚ ସାଣ୍ଟୋ ୬୭ ଏବଂ ଅଧିନାୟକ ସକିବ ଅଲ୍ଲ ହସନ ୮୪ ରନ୍ କରିଥିଲେ । ଅନ୍ୟ କୌଣସି ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ ।

ଭାରତ ତରଫରୁ ଅକ୍ଷର ପଟେଲ ସର୍ବାଧିକ ୪ ଓ୍ବିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୩ଟି ଓ୍ବିକେଟ ହାତେଇଥିଲେ । ମହମ୍ମଦ ସିରାଜ, ଉମେଶ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ବିନୀ ଗୋଟିଏ ଲେଖାଏଁ ଓ୍ବିକେଟ ପାଇଥିଲେ ।

ସୂଚନାଯୋଗ୍ୟ, ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଇଂନିସରେ ସମସ୍ତ ଓ୍ବିକେଟ ହରାଇ ୪୦୪ ରନ୍ କରିଥିଲା । ଜବାବରେ ପ୍ରଥମ ଇଂନିସରେ ବାଂଲାଦେଶ ଟିମ୍ ୧୫୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଦ୍ବିତୀୟ ଇଂନିସରେ ଭାରତ ଦୁଇ ଓ୍ବିକେଟ ହରାଇ ୨୫୮ ରନ୍ କରି ପାରି ଘୋଷଣା କରିଥିଲା । ବାଂଲାଦେଶ ଆଗରେ ୫୧୩ ରନର ବିଜୟ ଲକ୍ଷ୍ୟ ଥିଲା । ବାଂଲାଦେଶର ଦ୍ବିତୀୟ ଇଂନିସ ଭଲ ଆରମ୍ଭ ହୋଇଥିଲା । ବିନା କୌଣସି ଓ୍ବିକେଟ ହରାଇ ଦୁଇ ଓପନର ସାଣ୍ଟୋ ଏବଂ ଜାକିର ହସନ ବାଂଳାଦେଶର ରନ୍ ୧୨୪ରେ ପହଞ୍ଚାଇ ଦେଇଥିଲେ । ସାଣ୍ଟୋଙ୍କ ଓ୍ବିକେଟ ପଡ଼ିବା ପରେ ବାଂଳାଦେଶ ଟିମର ବ୍ୟାଟି ବିପର୍ଯ୍ୟୟ ଘଟିଥିଲା ଯେଉଁଥିରୁ ଦଳ ଉଠିପାରିନଥିଲା । ଆସନ୍ତା ୨୨ ତାରିଖରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ ।